ଇଣ୍ଡୋନେସିଆରେ ପୁଣି ଭୂମିକମ୍ପ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ରହିଛି ୭.୦

ଜାକାର୍ତ୍ତା: ଇଣ୍ଡୋନେସିଆରେ ଜାଭା ଓ ବାଲିରେ ୭ ତୀବ୍ରତାର ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପ ପରେ ଇଣ୍ଡୋନେସିଆରେ ଆତଙ୍କ ଖେଳିଯାଇଛି । ଏପର୍ଯ୍ୟନ୍ତ ଭୂକମ୍ପରେ ହୋଇଥିବା କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଆମେରିକାର ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ସୂଚନା ଅନୁସାରେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ପୂର୍ବ ଜାଭାର ଟବାନ ସହରଠାରୁ ୯୬.୫ କିଲୋମିଟର ଉତ୍ତରରେ ଥିଲା । ଭୂମିକମ୍ପର ଉତ୍ପତ୍ତିସ୍ଥଳ ଭୂପୃଷ୍ଠରୁ ୫୯୪ କିମି ଗଭୀରତାରେ ଥିଲା ।

ଅନ୍ୟପକ୍ଷରେ ଇଣ୍ଡୋନେସିଆ ଅଧିକାରୀମାନେ କହିଛନ୍ତି ଯେ ଏହି ଭୂମିକମ୍ପର ତୀବ୍ରତା ୬.୬ ଥିଲା । କିନ୍ତୁ ଏହା ଯୋଗୁଁ ସୁନାମୀର କୌଣସି ଆଶଙ୍କା ନାହିଁ । ଏହା ସତ୍ତ୍ବେ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ସୋସିଆଲ ମିଡିଆରେ ପ୍ରସାରିତ କେତେକ ଭିଡିଓରେ ଦେଖାଯାଉଛି ଯେ ଏହି ଭୂମିକମ୍ପ ପରେ କେନ୍ଦ୍ରୀୟ ଜାଭା, ୟୋଗାର୍ତ୍ତା, ବାଲିର ଲୋକମାନେ ବାହାରକୁ ଆସିବା ସହ ଆତଙ୍କିତ ହୋଇଯାଉଛନ୍ତି । ଏହା ସହିତ ଘର ଥରିବା ଦେଖାଯାଉଛି । ଇଣ୍ଡୋନେସିଆରେ କେତେକ ସକ୍ରିୟ ଆଗ୍ନେୟଗିରି ଥିବାରୁ ଏଠାରେ ଭୂମିକମ୍ପ ଏକ ସାଧାରଣ କଥା ଭାବେ ଧରାଯାଏ । ବଡ଼ ଭୂମିକମ୍ପ ଆସିଲେ ସୁନାମୀ ଆଶଙ୍କା ରହିଥାଏ ।