ଆସନ୍ତା ୯ ତାରିଖ ଯାଏଁ ବେହାଲ କରିବ ବର୍ଷା, ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଜାରି ରହିବ ବର୍ଷା । ବର୍ଷା ସାଙ୍ଗକୁ ଘନ କୁହୁଡି ବେହାଲ କରିବ । ଉପାନ୍ତରୁ ଉପକୂଳ ସବୁଠି ବର୍ଷା ହେବ । କିଛି ସ୍ଥାନରେ ଘଡଘଡି ବିଜୁଳି ସମେତ କୁଆପଥର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୯ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁରରେ ଘଡଘଡି ସହ ବର୍ଷା ଲାଗି ରହିବ । ମାଲକାନଗିରି, କୋରାପୁଟ, ରାୟଗଡାର କିଛି ସ୍ଥାନରେ ମଧ୍ୟ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୮ ଏବଂ ୯ ତାରିଖରେ ଉତ୍ତର, ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲାରେ ବର୍ଷା ହେବ । ବର୍ଷା ସମେତ ପବନର ବେଗ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ରହିବ । ଶୁକ୍ରବାର କଳାହାଣ୍ଡି, ବଲାଙ୍ଗିର, କୋରାପୁଟ ଏବଂ ରାୟଗଡାରେ ଘନ କୁହୁଡି ସତର୍କତା ଜାରି କରାଯାଇଛି । ସେହିପରି ୯ ଏବଂ ୧୦ ତାରିଖରେ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡିକରେ ଘନ କୁହୁଡ଼ି ଅନୁଭୁତ ହେବ । ଉପକୂଳ ଓଡ଼ିଶାରେ ବି ୨ଶହ ମିଟରରୁ କମ୍‌ ଭିଜିବିଲିଟି ରହିବ ।  ବର୍ଷା ସମୟରେ ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । କିନ୍ତୁ ୧୦ ଡିଗ୍ରୀ ତଳକୁ କୈାଣସି ସହରର ତାପମାତ୍ରା ଖସିବ ନାହିଁ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ।

୧୦ ତାରିଖ ପର୍ଯ୍ୟନ୍ତ ବର୍ଷା ଓ ଶୀତର ଲୁଚକାଳି ଖେଳ ଜାରି ରହିବ । ୧୦ ପରେ ସାରା ଓଡ଼ିଶାରେ ପାଗରେ ପରିବର୍ତ୍ତନ ହେବା ସହ ତାପମାତ୍ରା ବୃଦ୍ଧି ପାଇବ ।

Leave a Reply