ଦମ୍‌ ଦେଖାଉଛି ଡ୍ରାଗନ, ତାଇୱାନ ଆକାଶରେ ଉଡିଲା ୬୮ ଯୁଦ୍ଧ ବିମାନ

ତାଇପେଇ: ତାଇୱାନ ଆକାଶରେ ଉଡୁଛି ଚୀନର ୬୮ ବିମାନ ଏବଂ ୧୩ଟି ଯୁଦ୍ଧ ଜାହାଜ । ଏନେଇ ସୂଚନା ଦେଇଛି ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ । ତାଇପେ ସେନା କହିଛି ଯେ ଚୀନ ପିଏଲଏର ପ୍ରାୟ ୬୮ ଲଢୁଆ ବିମାନ ଏବଂ ୧୩ଟି ଯୁଦ୍ଧ ଜାହାଜ ମଧ୍ୟ ରେଖାକୁ ପାର କରିଛି ।

ଆମେରିକା ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚୀନ ଅଧିକ ଉଗ୍ର ହୋଇ ଉଠିଛି । ପେଲୋସିଙ୍କୁ ବ୍ଲାକ୍‌ଲିଷ୍ଟ କରିଛି ଚୀନ  । ଜିନପିଙ୍ଗ ସରକାର ପେଲୋସିଙ୍କ ବିରୁଦ୍ଧରେ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି  । ଗସ୍ତ ପରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଚୀନ  ।  ନିଜ ଶକ୍ତି ପ୍ରଦର୍ଶନ କରିବା ପାଇଁ ବଡ଼ ଧରଣର ସୈନ୍ୟ ଅଭ୍ୟାସ ଜାରି ରଖିଛି  । ପେଲୋସିଙ୍କ ତାଇୱାନ ଯାତ୍ରାକୁ ନେଇ ଚୀନ କଡା ଆପତ୍ତି ଉଠାଇଥିଲା । ଚୀନ ତାଇୱାନକୁ ନିଜ ଦେଶର ଅଂଶ ବୋଲି ଦାବି କରୁଛି । ଏହାରି ଭିତରେ ଚୀନ ପୁଣି ଥରେ ଆମେରିକାକୁ କଡା ଚେତାବନୀ ଦେଇଛି ।

ଚୀନ ବୈଦେଶିକ ମନ୍ତ୍ରୀ ପେଲୋସିଙ୍କ ଯାତ୍ରାକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି । ତାଙ୍କ ଗସ୍ତ ଚୀନର ସାର୍ବଭୌମତ୍ବକୁ ଗଭୀର ଭାବେ ପ୍ରଭାବିତ କରିଛି  । ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିଛି ଆମେରିକା । ଆଗକୁ ଏକ ବଡ଼ ସଂକଟ ସୃଷ୍ଟି କରିବାକୁ ଆମେରିକା ପ୍ରୟାସ କରୁଛି ବୋଲି ଚୀନ୍‌ କହିଛି ।

ଗତ ଗୁରୁବାର ଠାରୁ ତାଇୱାନ ସୀମାରେ ସୈନ୍ୟ ଅଭ୍ୟାସ ଜାରି ରଖିଛି ଚୀନ  । ୨୦୨୦ ରେ ବେଜିଂର ଘୋଷଣା ପରେ ତାଇୱାନ ସୀମାରେ ଚୀନର ଅନୁପ୍ରବେଶ ବୃଦ୍ଧି ପାଇଥିଲା  ।