ରାଜ୍ୟର ୨୬ଟି ସହରରେ ୬୨୬ଟି ବିଜୁ ଆଦର୍ଶ କଲୋନୀ ଲୋକାର୍ପିତ

1 min read

ଭୁବନେଶ୍ୱର : ରାଜ୍ୟର ସହର ବିକାଶ ଇତିହାସରେ ସୃଷ୍ଟି ହୋଇଛି ନୂଆ ମାଇଲଷ୍ଟୋନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 5T ଉପକ୍ରମରେ ସହରବାସୀଙ୍କ ପାଇଁ ଅନେକ ସୁବିଧା ଯଥା ପିଇବା ପାଣି, ଡ୍ରିଙ୍କ୍ ଫ୍ରମ୍ ଟ୍ଯାପ, ପେଭର ରୋଡ, ସ୍ବେରେଜ୍ ଓ ନାଗରିକ ସେବା ସହିତ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଓ ବିଜୁ ଆଦର୍ଶ କଲୋନୀ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ। ସମୃଦ୍ଧ ସହର ରାଜ୍ୟର ସମୃଦ୍ଧି ବିଷୟରେ ସୂଚନା ଦେଇଥାଏ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, 5T ଉପକ୍ରମରେ ହେଉଥିବା ଏହି ସବୁ ବିକାଶ କାର୍ଯ୍ୟକ୍ରମ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ଏସବୁ ପ୍ରକଳ୍ପ ଆମର ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାର ୨୧ ହଜାର ୪୨୭ ବସ୍ତି ବାସିନ୍ଦା ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏଥି ସହିତ ରାଜ୍ୟର ୨୬ଟି ସହରରେ ୬୨୬ଟି ବିଜୁ ଆଦର୍ଶ କଲୋନୀ ଲୋକାର୍ପିତ ହୋଇଛି । ଏହା ଦ୍ୱାରା ୨ ଲକ୍ଷ ପରିବାର ଉପକୃତ ହେବେ। ଏଥି ସହିତ ୨୬ଟି ସହର ବସ୍ତିମୁକ୍ତ ହୋଇଛି। ସହରର ଅନ୍ୟମାନଙ୍କ ପରି ସେମାନେ ମଧ୍ୟ ସବୁ ମୌଳିକ ସୁବିଧା ସୁଯୋଗ ପାଇବେ। ରାଜ୍ୟର  ଡ୍ରିଙ୍କ ଫ୍ରମ୍  ଟ୍ଯାପ୍ କାର୍ଯ୍ୟକ୍ରମ ଓ ସହରାଞ୍ଚଳ ବିକାଶ କ୍ଷେତ୍ରରେ ସାରା ଦେଶ ପାଇଁ ଏକ ମଡେଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।  ବ୍ରହ୍ମପୁର ସହରର ସବୁ ପରିବାର ଆଜିଠୁ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ଯାପ୍ ସୁବିଧା ପାଇଛନ୍ତି। ଏହା ସହିତ ରାଜ୍ୟର ୮ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ଯାପ୍  ସୁବିଧା ମିଳିଛି । ରାଜ୍ୟରେ ବିଶ୍ବ ସ୍ତରୀୟ ଜନସ୍ବାସ୍ଥ୍ଯ ବିକାଶରେ ଏହା ଏକ ବଡ଼ ପଦକ୍ଷେପ ।

ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗାନ୍ଧିଜୀଙ୍କ ଭାଷାରେ ଏହା ସ୍ୱାଧୀନତାଠାରୁ ମଧ୍ୟ ଅଧିକ ଜରୁରୀ। ଆଜି କଟକ ଓ ଭୁବନେଶ୍ୱର ପାଇଁ Odisha Integrated Sanitation Improvient Project ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥି ପାଇଁ ଜାଇକା ସହାୟତାରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ଝାରସୁଗୁଡା, ବ୍ରଜରାଜନଗର ଓ ବେଲପାହାଡ ସହର ସହିତ ଅନେକ ସହରରେ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଛି। ଏହା ମାଧ୍ୟମରେ ୨.୬୫ ଲକ୍ଷ ବାସିନ୍ଦା ଉପକୃତ ହେବେ। ଏଥି ସହିତ ଉନ୍ନତି ଓ ମୁକ୍ତା ଯୋଜନାରେ ବିଭିନ୍ନ ସହରରେ ୩୬୯୯ଟି ନୂଆ ପେଭର ଏବଂ ୬୯୬୧ଟି Civic Amenities Project ଉତ୍ସର୍ଗ କରାଗଲା। ମୁକ୍ତା ଯୋଜନାର କାର୍ଯ୍ୟକାରିତା ଉପରେ ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ମୁକ୍ତା ଯୋଜନାରେ ସବୁକାମ ମା’ ମାନଙ୍କ ଦ୍ୱାରା କରାଯାଉଛି ଏବଂ ଭଲ ଭାବରେ ମଧ୍ୟ ଏହିସବୁ କାମ ମା’ ମାନେ ତୁଲାଉଛନ୍ତି।

ଏହି ଆବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୪ଟି ସହରରେ ୧୧୬୪ କୋଟି ଟଙ୍କା ମୂଲ୍ୟର ୨୭ଟି ଜଳଯୋଗାଣ ପ୍ରକଳ୍ପ ପାଇଁ ଭିତ୍ତି ରଖିଥିଲେ। କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥି ଭାଥନନ୍ ପ୍ରମୁଖ ଯୋଗଦେଇଥିଲେ।