ବଢିବ ନନ୍ଦନକାନନର ପରିସର, ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୬୦୦କୋଟି ଟଙ୍କା

1 min read

ଭୁବନେଶ୍ୱର: ବଦଳିବ ନନ୍ଦନକାନନର କଳେବର । ଦେଶର ସର୍ବ ବୃହତ ସବୁଜିମା ଚିଡ଼ିଆଖାନାର ବଢିବ ପରିସର । ୪୩୧ ହେକ୍ଟରରୁ ବଢି ୧୦୪୭ ହେକ୍ଟରରେ ପହଞ୍ଚିବ । ଏବେ ଚିଡ଼ିଆଖାନା, କାଞ୍ଜିଆ ହ୍ରଦ ଏବଂ ବୋଟାନିକାଲ ଗାର୍ଡ଼େନ ଏହାର ପରିସରରେ ଯାଉଥିବା ବେଳେ ପରିବର୍ତ୍ତିତ ଯୋଜନାରେ ଚନ୍ଦକା ଜଙ୍ଗଲ, ଚୁଡ଼ଙ୍ଗ ଓ କୃଷ୍ଣନଗରର ସଂରକ୍ଷିତ ଅଞ୍ଚଳ ବି ସାମିଲ ହେବ । ନୂଆ ମାଷ୍ଟରପ୍ଲାନକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷ ଅନୁମୋଦନ ଦେଇଛନ୍ତି । ନୂଆ ଯୋଜନା କାର୍ଯ୍ୟକାରୀ ହେଲେ ବର୍ଷକୁ ୩୫ଲକ୍ଷ ପର୍ଯ୍ୟଟକ ଆସିବାର ଅନୁମାନ କରାଯାଉଛି । ଯାହାକୁ ସ୍ବାଗତ କରିଛନ୍ତି ପରିବେଶବିତ ।

ଏବେ ଦେଶର ସର୍ବ ବୃହତ ସୁବଜିମା ଚିଡ଼ିଆଖାନାକୁ ଆସିବେ ଅଧିକ ଜୀବଜନ୍ତୁ । ରାଜଧାନୀର ଉପକଣ୍ଠରେ ଥିବା ଚିଡ଼ିଆଖାନାର ପରିସର ବି ଦୁଇଗୁଣାରୁ ଅଧିକ ହେବା ନେଇ ଲକ୍ଷ୍ୟ । ଚନ୍ଦକା ବନ୍ୟଜନ୍ତୁ ଅଭୟାରଣ୍ୟରୁ ସୃଷ୍ଟି ହୋଇଥିବା ନନ୍ଦନକାନନରେ ଏବେ ପୁଣି ଥରେ ସାମିଲ ହେବ ଚନ୍ଦକା । ଏହାସହ ସଂରକ୍ଷିତ ଅଞ୍ଚଳ ଭାବେ ଜଣାଶୁଣା ଚୁଡ଼ଙ୍ଗ ଓ କୃଷ୍ଣନଗର ବି ଏଥିରେ ସାମିଲ ହେବ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୬୦୦କୋଟି ଟଙ୍କା । ବନ ବିଭାଗ ଏବଂ ଚିଡ଼ିଆଖାନା କର୍ତ୍ତୁପକ୍ଷଙ୍କ ମାଷ୍ଟରପ୍ଲାନକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷ ଅନୁମୋଦନ ଦେଇଛନ୍ତି ।

ବନ୍ୟଜନ୍ତୁମାନଙ୍କୁ ନନ୍ଦନକାନନ ଓ ଭରତପୁର ସଂରକ୍ଷିତ ଜଙ୍ଗଲରେ ଖୋଲା ବିଚରଣ କରିବା ପାଇଁ ସୁଯୋଗ ମିଳିବ । ଏବେ ନନ୍ଦନକାନନ ଚିଡ଼ିଆଖାନାରେ କାଞ୍ଜିଆ ହ୍ରଦ ଓ ବୋଟାନିକାଲ ଗାର୍ଡ଼େନ ରହିଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଚନ୍ଦକା ଅଞ୍ଚଳରେ ଜଙ୍ଗଲ ସଫାରୀ କରାଯିବ । ୨୦୦ ହରିଣ ଚନ୍ଦକା ଏବଂ ଚୁଡ଼ଙ୍ଗ ଅଞ୍ଚଳରେ ଛଡ଼ାଯିବ । ଚିଡ଼ିଆଖାନା ପରିସର ବାହାରେ ମଲ୍ଟି ଲେଭେଲ ପାର୍କିଂ ସହ ନୂଆ ଅତ୍ୟାଧୁନିକ ବସଷ୍ଟାଣ୍ଡ ଏବଂ ଫୁଡ଼କୋର୍ଟ ନିର୍ମାଣ ହେବ । ବର୍ଷକୁ ୩୫ଲକ୍ଷ ପର୍ଯ୍ୟଟକ ଆସିବା ନେଇ ଯୋଜନା କରୁଛି ବନ ବିଭାଗ । ଏହାକୁ ପରିବେଶବିତ ସ୍ବାଗତ କରିଥିବା ବେଳେ ସବୁଜିମା ବଜାୟ ରଖିବା ଉପରେ ଧ୍ୟାନ ଦେବା ଗୁରୁତ୍ବ ଦେବାକୁ ମତ ଦେଇଛନ୍ତି ।

ବନ ବିଭାଗ ଓ ପର୍ଯ୍ୟଟନ ବିଭାଗର ମଳିତ ଆନୁକୁଲ୍ୟରେ ଏବେ ଇକୋ-ଟୁରିଜିମର ଆଦୃତି ବଢୁଥିବା ବେଳେ ନନ୍ଦନକାନନର କଳେବର ବୃଦ୍ଧି ପର୍ଯ୍ୟଟନ ଦିଗରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ।