ବଡ଼ ମେଡିକାଲରେ ବଡ଼ ଅବ୍ଯବସ୍ଥା: ଆଇସିୟୁରେ ଥିବା ୬୦ ଭେଣ୍ଟିଲେଟର ଅଚଳ

1 min read

କଟକ: ଏସସିବି ବଡ଼ ମେଡିକାଲର ବିଭିନ୍ନ ଆଇସିୟୁରେ ଭେଣ୍ଟିଲେଟର ଅଚଳ । ଗୋଟିଏ କି ଦୁଇଟି ନୁହେଁ, ପ୍ରାୟ ୬୦ଟି ଭେଣ୍ଟିଲେଟର ଏବେ ଅକାମୀ ହୋଇପଡିଛି । ଫଳରେ ଜଟିଳ ରୋଗୀଙ୍କ ଜୀବନ ରକ୍ଷା ଦିଗରେ ଏବେ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ କିଛି ଆଇସିୟୁରେ ଏହି ମେସିନ ଖରାପ ଥିଲା, ଯାହାର ପର୍ଯ୍ୟାୟ କ୍ରମେ ମରାମତି ହେଉଛି ବୋଲି କହିଛନ୍ତି ଏସସିବି ଅଧିକ୍ଷକ ।

ପ୍ରାୟ ୬୦ ଭେଣ୍ଟିଲେଟର ଅଚଳ ଯୋଗୁଁ ବଢୁଛି ସମସ୍ଯା । କୋଭିଡ ସମୟରେ ସରକାର ଯୋଗାଇଥିବା ୪୪ଟି ମେସିନ ରହିଛି । ଏହାର ମରାମତି ଦାୟିତ୍ୱରେ ଥିବା KTPL ସଂସ୍ଥା ମରାମତି କରିବା ସତ୍ତ୍ବେ କିଛି ସମୟ ଚାଲିବା ପରେ ଆପଣା ଛାଏଁ ବନ୍ଦ ହୋଇଯାଉଥିବା ଅଭିଯୋଗ ହୋଇଛି । ଫଳରେ ଗୁରୁତର ରୋଗୀ ପ୍ରମାଦ ଗଣିଲେଣି । ଯାହାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ତୁରନ୍ତ ଏଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ନଦେଲେ ଆନ୍ଦୋଳନ କରାଯିବ ବୋଲି ବିଭିନ୍ନ ସଂଗଠନ ଚେତାବନୀ ଦେଇଛନ୍ତି ।

କୋଭିଡ ସମୟରେ ଆସିଥିବା ଭେଣ୍ଟିଲେଟର ଅତ୍ୟଧିକ ବ୍ୟବହାର ଯୋଗୁଁ ଖରାପ ହୋଇଥିବା କହିଛନ୍ତି ବରିଷ୍ଠ ଡାକ୍ତର । ଏହି ମେସିନକୁ ବାହାରୁ ଯୋଗାଯାଉଥିବା ଅକ୍ସିଜେନ ଲାଇନ ମଧ୍ୟ ଖରାପ ହେଲାଣି । ଏନେଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ସେପଟେ ଖବରକୁ ଅସ୍ବୀକାର କରିବା ସହ ଖରାପ ଥିବା ମେସିନକୁ ପର୍ଯ୍ୟାୟ କ୍ରମେ ମରାମତି କରାଯାଉଛି ବୋଲି କହିଛନ୍ତି ଏସସିବି ଅଧିକ୍ଷକ । ତେବେ ଏହାଦ୍ବାରା ଆଇସିୟୁ ରୋଗୀ ପ୍ରଭାବିତ ହୋଇ ନଥିବା ସେ କହିଛନ୍ତି ।