ଘର ଆଗରୁ ୬ ବର୍ଷୀୟା ଶିଶୁକୁ ଝାମ୍ପି ନେଲେ ଦୁର୍ବୃତ୍ତ

1 min read

ଦେବଗଡ଼: ଦେବଗଡ଼ରେ ଚାଞ୍ଚଲ୍ୟ । ଘର ଆଗରୁ ୬ ବର୍ଷୀୟା ଶିଶୁକୁ ଝାମ୍ପି ନେଲେ ଦୁର୍ବୃତ୍ତ । ସହରର ମୁଖ୍ୟ ବଜାରରେ ଏପରି ଘଟଣା ଘଟିଛି । ଘର ଆଗରେ ଆଈ କୋଳରୁ ୬ ବର୍ଷୀୟା ନାତୁଣୀକୁ କେହି ଦୁର୍ବୃତ୍ତ ଝାମ୍ପିନେଇଥିବା ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି । ଦୁର୍ବୃତ୍ତ ପଲସର ବାଇକରେ ଆସି ଅପହରଣ କରିନେଇଥିବା ଜଣାପଡିଛି।

ଭାଇ ଭାଇ ଲୁଗା ଦୋକାନର ମାଲିକ ଆଲୋକ ଅଗ୍ରୱାଲଙ୍କ ୬ ବର୍ଷୀୟା ଝିଅ ପିହୁ ଅଗ୍ରୱାଲକୁ ଅପହରଣ କରାଯାଇଛି। ଅଭିଯୋଗ ପରେ ସହରର ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଚଳାଇଛି ଆଦର୍ଶ ଥାନା ପୋଲିସ। ରାଞ୍ଚି-ବିଜୟୱାଡା ରାସ୍ତାରେ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଏସପି ପ୍ରଦ୍ୟୁମ୍ନ ମିଶ୍ରଙ୍କ ନିର୍ଦ୍ଦେଶରେ ପୁଲିସର ତଦନ୍ତ ଆରମ୍ଭ ହୋଇଛି ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ୱାଇଁ ଙ୍କ ସମେତ ଥାନା ଅଧିକାରୀ ସରୋଜ ସେଠି ଘଟଣାର ତଦନ୍ତ କରିବା ସହ ସମସ୍ତ ରାସ୍ତାକୁ ସିଲ କରିଥିବା ସୂଚନା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅପହରଣ କାରି କିମ୍ବା ଅପହୃତା ଶିଶୁ କନ୍ୟାର କୌଣସି ସନ୍ଧାନ ମିଳିନଥିବା ବେଳେ ଜିଲ୍ଲାର ସମସ୍ତ ରାସ୍ତାରେ ଯାନବାହାନ ଯାଞ୍ଚ କରୁଛି ପୋଲିସ।