ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି: କେବେ ସରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ?
1 min readଭୁବନେଶ୍ବର: ବହୁ ବାଦ ବିବାଦ, ଜୋରଦାର୍ ଆନ୍ଦୋଳନ ପରେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ଆରମ୍ଭ ହୋଇଥିଲା । ୨୦୧୯ ଜାନୁୟାରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତରେ ଆସି ବଲାଙ୍ଗୀରରୁ ବିଚ୍ଛୁପାଲି ପର୍ଯ୍ୟନ୍ତ ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ୬ ବର୍ଷ ପୂରିଛି, ହେଲେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ । ଅନ୍ୟପଟେ ରେଳପଥ ଶୀଘ୍ର କରିବା ପାଇଁ ବିଜେଡି ସରକାରଙ୍କ ସମୟରେ ମାଗଣାରେ ଜମି ସହ ୧୩ ଶହ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା । ସେଥିରୁ ପାଖାପାଖି ୭ ଶହ କୋଟି ଟଙ୍କା ଖର୍ଚ୍ଚ କରିପାରିଛି ରେଳ ବିଭାଗ । ବାକି ୬ ଶହ କୋଟି ଟଙ୍କା ପଡି ରହିଛି ।
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କେନ୍ଦ୍ର ସରକାରଙ୍କ ମିଛ ଧରା ପଡିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ଜଣାଶୁଣି ବିଳମ୍ବ କରାଯାଉଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା । ବିଜେଡି ସରକାର ମାଗଣାରେ ଜମି ଯୋଗାଇ ଦେବା ସହ ୫ ବର୍ଷରେ ୧୩ ଶହ କୋଟି ଟଙ୍କା ପ୍ରଦାନ କରିଛନ୍ତି I କିନ୍ତୁ ପ୍ରକଳ୍ପ ଶେଷ ଧାର୍ଯ୍ୟ ସୀମା ପ୍ରତିବର୍ଷ ବୃଦ୍ଧି କରାଯାଉଛି । ୨୦୨୧ରୁ ୨୦୨୪ କରାଗଲା ଏବେ ୨୦୨୬କୁ ବୃଦ୍ଧି କରାଯାଇଛି । ବଲାଙ୍ଗୀର ପଟୁ ସୋନପୁର ପର୍ଯ୍ୟନ୍ତ ରେଳ ଚଳାଚଳ କରିଥିବା ବେଳେ ଖୋର୍ଦ୍ଧା ପଟୁ ଦଶପଲ୍ଲା ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ କରୁଛି । ୩୦୧ କିମି ଲମ୍ବ ରେଳପଥରୁ ବର୍ତ୍ତମାନ ୧୯୮ କିମି ନିର୍ମାଣ କରାଯାଇଥିବା ବେଳେ ବାକି ରହିଥିବା ୧୨୬୯ ଏକର ଜମିକୁ ଷ୍ଟେଜ-୨ ମଞ୍ଜୁରୀ ମିଳି ନଥିବା ଜଣାପଡିଛି । ବୌଦ୍ଧରୁ ପୁରୁଣାକଟକ ୨୬ କିମି ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ପୁରୁଣାକଟକରୁ ଦଶପଲ୍ଲା ୭୫ କିମି ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି ।
ଗତ ୫ ବର୍ଷରେ ଏହି ରେଳପଥ ପାଇଁ ୪୩୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଖର୍ଚ୍ଚ କରାଯାଇଛି ମାତ୍ର ୨୩୩୮ କୋଟି ଟଙ୍କା । ୨୦୧୮-୧୯ରେ ୬୨୫ କୋଟି ବଜେଟ ଘୋଷାଣ ହୋଇଥିଲା କିନ୍ତୁ ଖର୍ଚ୍ଚ ହୋଇଥିଲା ୧୫୯ କୋଟି, ୨୦୧୯-୨୦ରେ ୩୫୦ କୋଟି ଘୋଷାଣ କିନ୍ତୁ ଖର୍ଚ୍ଚ ୧୫୩ କୋଟି, ୨୦୨୦-୨୧ରେ ୫୧୯ କୋଟି ଘୋଷଣା କିନ୍ତୁ ଖର୍ଚ୍ଚ ୧୭୦ କୋଟି, ୨୦୨୧-୨୨ରେ ୧୦୦୦କୋଟି ଘୋଷଣା କିନ୍ତୁ ଖର୍ଚ୍ଚ ୩୭୧ କୋଟି । ସେହିପରି ୨୦୨୨-୨୩ରେ ୮୯୧କୋଟି ଟଙ୍କା ଘୋଷଣା ହୋଇଥିବା ବେଳେ ୨୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା I ୨୦୨୩-୨୪ରେ ୧୫୯୯ କୋଟି ଟଙ୍କା ଘୋଷଣା ହୋଇଥିଲା । ହେଲେ ଏହାର ଅଧା ବି ରେଳ ବିଭାଗ ଖର୍ଚ୍ଚ କରିପାରୁନାହିଁ ।