ବୋରୱେଲରେ ଖସିପଡ଼ିଲା ୬ ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ଭୋପାଳ: ପୁଣି ବୋରୱେଲରେ ଫସିଲା ଜୀବନ । ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ମାଣ୍ଡଭି ଗାଁରେ ୬ ବର୍ଷର ଶିଶୁ ବୋରୱେଲକୁ ଖସିପଡ଼ିଛି । ୫୩ ଫୁଟରେ ଶିଶୁଟି ଫସିଯାଇଥିବା ସୂଚନା । ଶିଶୁଟିକୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦିଆଯାଇଛି । ତିନି ଜେସିବି ମେସିନ ସହାୟତାରେ ବୋରୱେଲଠାରୁ ୩୦ ଫୁଟ ଦୂର ସମାନ୍ତର ଗାତ ଖୋଳାଯାଉଛି । ଡାକ୍ତରୀ ଦଳ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି । ପିଲାଟି ସହ ପରିବାର ଲୋକେ କଥା ହେଉଛନ୍ତି । ପିଲାଟି କହିଛି ଯେ ଏଠାରେ ବହୁତ ଅନ୍ଧାର ରହିଛି । ମୋତେ ଡର ଲାଗୁଛି । ମୋତେ ଶୀଘ୍ର ବାହାରକୁ ବାହାର କର ।

ତେବେ ଦୁର୍ଘଟଣାଟି ମଙ୍ଗଳବାର ବେତୁଲ ଜିଲ୍ଲାର ଆଠନେରର ମାଣ୍ଡଭି ଗାଁ ପାଖରେ ପ୍ରାୟ ସନ୍ଧ୍ୟା ୫ଟା ସମୟରେ ଘଟିଛି । ପ୍ରାଥମିକ ସୂଚନା ଅନୁସାରେ ତନ୍ମୟ ନାମକ ବାଳକ ବିଲରେ ଖେଳୁଥିଲା । ଏହି ସମୟରେ ସେ କୌଣସି କାରଣରୁ ବୋରୱେଲକୁ ଖସିପଡ଼ିଥିଲା । କିଛି ସମୟ ପରେ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ଶେଷରେ ବୋରୱେଲ ପାଖକୁ ଆସି ଆୱାଜ ଦେବାରୁ ଶିଶୁଟି ରେସପନ୍ସ କରିଥିଲା । ଏହାପରେ ପରିବାର ଲୋକେ ତୁରନ୍ତ ବେତୁଲ ଏବଂ ଆଠନେର ପୋଲିସକୁ ସୂଚନା ଦେଇଥିଲେ ।

ବୋରୱେଲରେ ସିସିଟିଭି କ୍ୟାମେରା ପକାଯାଇ ପିଲାର ମୁଭମେଣ୍ଟକୁ ମନିଟର କରାଯାଉଛି । ଘଟଣା ସ୍ଥଳରେ ଜିଲ୍ଲାପାଳ, ଏସପି, ତହସିଲଦାର ଆଠନେର ସମେତ ପୋଲିସ ପ୍ରଶାସନର ସମସ୍ତ ଅଧିକାରୀ ଉପସ୍ଥିତ ଅଛନ୍ତି । ପାଇପ୍ ସହାୟତାରେ ପିଲାଟି ପାଖକୁ ଅକ୍ସିଜେନ ପଠାଯାଇଛି । ପରିବାର ଲୋକେ ଲଗାତାର ତା ସହ କଥା ହେଉଛନ୍ତି । ଶିଶୁଟିକୁ ବାହାର କରିବା ପାଇଁ ବୋରୱେଲଠାରୁ ପ୍ରାୟ ୩୦ ଫୁଟ ଦୂରରେ ଜେସିବି ସହାୟତାରେ ସମାନ୍ତରରେ ଗାତ ଖୋଳାଯାଉଛି । ରାତି ୧୧ ଟା ସୁଦ୍ଧା ପ୍ରାୟ ୨୦ ଫୁଟ ଖୋଳାଯାଇଛି ।

ଏସଡିଆରଏଫର ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସୂଚନାନୁସାରେ ତନ୍ମୟ ଦ୍ୱିତୀୟ ଶ୍ରେଣରେ ପାଠ ପଢ଼ୁଛି । ବାପା ସୁନିଲ ଦିୟାବାର କହିଛନ୍ତି ଯେ ୮ ଦିନ ପୂର୍ବେ ସେ ବିଲରେ ୪୦୦ ଫୁଟ ଗଭୀରର ବୋରୱେଲ ଖୋଳିଥିଲେ । ଏହି ବୋର ରେ ତାଙ୍କ ପୁଅ ଖସିପଡ଼ିଛି । ତେବେ ରାତି ସମୟ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ଟିକେ ସମସ୍ୟା ହେଉଛି । ତଥାପି ଘଟଣା ସ୍ଥଳରେ ଆଲୋକ ବ୍ୟବସ୍ଥା କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାଥାଉକି, ଗତ ଜୁନ ମାସରେ ମଧ୍ୟପ୍ରଦେଶର ଛତରପୁରରେ ବୋରୱେଲରେ ୪ ବର୍ଷର ଶିଶୁ ଦୀପେନ୍ଦ୍ର ଖସିପଡ଼ିଥିଲା । ପ୍ରାୟ ୭ ଘଣ୍ଟାର ଉଦ୍ୟମ ପରେ ତାକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାରକାରୀ ଦଳ ବୋରୱେଲ ଗାତରେ ରଶି ପକାଇଥିଲେ, ଏହି ରଶିକୁ ଶିଶୁଟି ନିଜ କାନ୍ଧରେ ଫସାଇ ଦେଇଥିଲା ।ଏହାପରେ ଧୀରେ ଧୀରେ ତାକୁ ଟାଣି ବାହାରକୁ ବାହାର କରାଯାଇଥିଲା । ଏହାପରେ ମେଡିକାଲରେ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ । ଶିଶୁଟି ପ୍ରାୟ ୨୫ ପୁଟ ଗଭୀରରେ ଫସିଥିଲା । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ନିଜେ ଘଟଣାର ମନିଟରିଂ କରିଥିଲେ । ଆଜି ୬ ବର୍ଷର ତନ୍ମୟ କେମିତି ସୁରକ୍ଷିତ ବାହାରିବ ସେନେଇ ସମସ୍ତେ କାମନା କରିଛନ୍ତି ।