ମଶା ମରା ସ୍ପ୍ରେ ପ୍ରଭାବରେ ସଂଜ୍ଞାହୀନ ହୋଇଗଲେ ୧୬ ମହିଳା

ନୋଏଡା: ମଷା ମାରିବା ପାଇଁ ସ୍ପ୍ରେ କରାଯାଇଥିଲା ଔଷଧ । ହେଲେ ମଶା ବଦଳରେ ବେହୋସ୍ ହୋଇଗଲେ ମଣିଷ । ଏପରି ଘଟଣା ଦିଲ୍ଲୀନ ନୋଏଡାରୁ ସାମ୍ନାକୁ ଆସିଛି । ନୋଏଡା ସେଣ୍ଟ୍ରାଲ ଜୋନର କୋତୱାଲୀ ଇକୋଟେକ ୩ ଅଞ୍ଚଳରେ ଥିବା ଇଲେକ୍ଟ୍ରୋନିକ୍ କମ୍ପାନୀରେ ମଶା ମାରିବା ମାରିବା ପାଇଁ ଔଷଧର ସ୍ପ୍ରେ କରାଯାଇଥିଲା । ଏହାପରେ କମ୍ପାନୀରେ କାମ କରୁଥିବା ୧୬ ମହିଳା ବେହୋସ ହୋଇଯାଇଥିଲେ ।

ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି ଏବଂ ତଦନ୍ତ ଆରମ୍ଭ କରିଦେଇଛି । ଏସକ୍ଲୋପିୟସ ହସ୍ପିଟାଲରେ ବେହୋସ୍ ମହିଳାମାନଙ୍କ ଚିକିତ୍ସା ଚାଲିଛି । ମଶା ମାରିବା ପାଇଁ ବ୍ୟବହୃତ ଔଷଧର ସ୍ପ୍ରେ କରାଯିବା ପରେ ଅଚାନକ ଜଣେ ପରେ ଜଣେ ୧୬ ଜଣ ମହିଳା ସଂଗ୍ୟାହୀନ ହୋଇଯାଇଥିଲେ ।

ପୋଲିସ ଟିମ୍ କମ୍ପାନୀରେ ପହଞ୍ଚି ମାମଲାର ଯାଞ୍ଚ ଚଳାଇଛି । ମଶା ମରା ଔଷଧକୁ ମଧ୍ୟ ପୋଲିସ ଜବତ କରି ଫରେନ୍ସିକ ଯାଞ୍ଚ ପାଇଁ ପଠାଇଛି । ତେବେ ଏଥିରେ ଅନ୍ୟ କୌଣସି କେମିକାଲ ମିଶିଛି କି ନା ନାହିଁ ତାର ପରୀକ୍ଷା କରାଯିବ । ସାଧାରଣତଃ ମଶା ଉପଦ୍ରଦ କମାଇବା ପାଇଁ ବିଭିନ୍ନ ସ୍ଥାନରେ ମଶା ଧୂଆଁ କେମିକାଲ ସ୍ପ୍ରେ କରାଯାଇଥାଏ । ହେଲେ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ କେବେ ବି ଦେଖାଯାଇନଥିଲା । ଏପରି ପ୍ରଥମଥର ପାଇଁ ଘଟିଥିବାରୁ ମଷା ଧୂଆଁ ପ୍ରତି ଲୋକମାନଙ୍କ ଭୟ ବଢ଼ିଛି ।