୬ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ, ସବିତା ଆଚାର୍ଯ୍ୟଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ଦାୟିତ୍ୱ

ଭୁବନେଶ୍ୱର: ନିଯୁକ୍ତ ହେଲେ ୬ ବିଶ୍ୱବିଦ୍ୟାଳୟର କୁଳପତି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ କୁଳପତିମାନଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରଫେସର ଅପରଜିତା ଚୌଧୂରୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ହୋଇଥିବା ବେଳେ ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଦିଆଯାଇଛି ।

ସେହିଭଳି ପ୍ରଫେସର ଦୀନବନ୍ଧୁ ସାହୁ ଫକିରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ହୋଇଥିବା ବେଳେ ପ୍ରଫେସର ଏନ୍. ନାଗରାଜଙ୍କୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ପ୍ରଫେସର କିଶୋର କୁମାର ବାଶାଙ୍କୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଏବଂ ପ୍ରଫେସର ପ୍ରଫୁଲ କୁମାର ମହାନ୍ତିଙ୍କୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ରାଜଭବନ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ପତ୍ନୀଙ୍କ ବିୟୋଗ ସତ୍ତ୍ୱେ ଚୟନ ପ୍ରକ୍ରିୟା ଶେଷ କରିଛନ୍ତି ରାଜ୍ୟପାଳ ।

ରବିବାର ବିଳମ୍ବିତ ରାତିରେ ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗ ହୋଇଥିଲା । ସୋମବାର ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବିଧାନସଭାରେ ତାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯିବା ସହ ଗୃହ ମୁଲତବି କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା ସୁଶୀଳା ଦେବୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave a Reply