ବିଜେବି ପରେ ରାଜଧାନୀ କଲେଜରୁ ୬ ଜଣ ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ

ଭୁବନେଶ୍ୱର: ବିଜେବି କଲେଜ ପରେ ରାଜଧାନୀ କଲେଜରୁ ଚିହ୍ନଟ ହେଲେ ନକଲି ଭିନ୍ନକ୍ଷମ ଛାତ୍ର । ୬ ଜଣ ନକଲି ଭିନ୍ନକ୍ଷମ ଛାତ୍ର ରାଜଧାନୀ କଲେଜରେ ଚିହ୍ନଟ ହୋଇଛନ୍ତି । କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରା ନକଲି ଛାତ୍ର ଚିହ୍ନଟ ହୋଇଥିବା ଜଣାପଡ଼ିଛି । ସରକାର ଗାଇଡଲାଇନ ଅନୁସାରେ ସେମାନଙ୍କ ଆଡମିଶନ ରଦ୍ଦ କରାଯିବ । ମୋଟ୍ ୨୭ ଜଣ ଭିନ୍ନକ୍ଷମ ସାର୍ଟିଫିକେଟ୍ ଥିବା ଛାତ୍ରଛାତ୍ରୀ ଥିବା ବେଳେ ଯାଞ୍ଚ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଠାଯାଇଥିଲା । ୨୭ ମଧ୍ୟରୁ ୬ଟି ନକଲି ଭିନ୍ନକ୍ଷମ ସାର୍ଟିଫିକେଟ୍ ଥିବା ଛାତ୍ର ଚିହ୍ନଟ ହୋଇଛନ୍ତି । ନୟାଗଡ଼ରୁ ୩, ଖୋର୍ଦ୍ଧା ୨, କଟକରୁ ଜଣେ ଛାତ୍ରଙ୍କର ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ଥିବା ସ୍ପଷ୍ଟ ହୋଇଛି । ଏମାନେ ସମସ୍ତେ ପ୍ରଥମ ବର୍ଷର ଛାତ୍ର । ନକଲି ଛାତ୍ର ଚିହ୍ନଟ ହେବା ପରେ ରାଜଧାନୀ କଲେଜ ଅଧ୍ୟକ୍ଷ ଖଣ୍ଡଗିରି ଥାନାରେ ଏନେଇ ଲିଖିତ ଏତଲା ଦେଇଛନ୍ତି ।