ପେଟ୍ରୋଲ ପମ୍ପ ଲୁଟ ଘଟଣାରେ ୬ ଅଭିଯୁକ୍ତ ଗିରଫ

କେନ୍ଦୁଝର : ପେଟ୍ରୋଲ ପମ୍ପରୁ ଅଢେଇ ଲକ୍ଷ ଲୁଟ ଘଟଣାରେ ୬ଜଣ ଲୁଟେରାଙ୍କୁ ଗିରଫ କରିଛି ଚମ୍ପୁଆ ପୋଲିସ । ଗତ ୩ ତାରିଖ ରାତି ସାଢେ ୨ଟାରେ ଚମ୍ପୁଆସ୍ଥିତ ଲାଗୁରି ପେଟ୍ରୋଲ ପମ୍ପରେ ୩ଜଣ କର୍ମଚାରୀ କାମ କରୁଥିଲେ । ବିଳମ୍ବିତ ରାତିର ସୁଯୋଗ ନେଇ ଆଠ ଜଣ ଦୁର୍ବୃତ୍ତ କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଘର ଭିତରେ ସେମାନଙ୍କୁ ବନ୍ଦ କରିଦେଇଥିଲେ । ଏହାସହ ପେଟ୍ରୋଲ ପମ୍ପର କ୍ୟାସ କାଉଣ୍ଟରରୁ ଅଢେଇ ଲକ୍ଷ ଟଙ୍କା ସହ ସିସିଟିଭିର ହାର୍ଡ ଡିସ୍କ ଓ କର୍ମଚାରୀଙ୍କ ମୋବାଇଲ ନେଇ ଫେରାର ହୋଇ ଯାଇଥିଲେ । ଏନେଇ ଥାନାରେ ଏତଲା ହେବା ପରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ପୋଲିସ । ଆଜି ୬ଜଣଙ୍କୁ ଧରିବାରେ ସଫଳ ହୋଇଛି ଚମ୍ପୁଆ ପୋଲି । ସେମାନଙ୍କ ଠାରୁ ନଗଦ ୫୦ହଜାର ଟଙ୍କା ୭ଟି ମୋବାଇଲ,୩ଟି ବାଇକ୍ ଓ ଗୋଟିଏ ବସ୍ ଜବତ କରିଥିବା ଚମ୍ପୁଆ ଏସଡିପିଓ କହିଛନ୍ତି ।