ରାଜସ୍ୱ ବିଭାଗର ୬ ଜଣ କର୍ମଚାରୀଙ୍କୁ ନିଲମ୍ବନ କଲେ ନୟାଗଡ଼ ଜିଲ୍ଲାପାଳ

ନୟାଗଡ଼ : ବେଆଇନ ଖଣି ଖନନ ମାମଲାରେ ନୟାଗଡ଼ ଜିଲ୍ଲାପାଳଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ରାଜସ୍ବ ବିଭାଗର ୬ ଜଣ କର୍ମଚାରୀଙ୍କୁ ନିଲମ୍ବନ କଲେ ନୟାଗଡ଼ ଜିଲ୍ଲାପାଳ । ନିଲମ୍ବିତଙ୍କ ମଧ୍ୟରେ ଅଛନ୍ତି ୨ଜଣ ଆରଆଇ, ୨ଜଣ ସେକ୍ସନ ଅଫିସର, ଜଣେ ସୁପର ଭାଇଜର ଏବଂ ଜଣେ କନିଷ୍ଠ ରାଜସ୍ୱ ସହାୟକ ।

ଖଣ୍ଡପଡ଼ା ତହସିଲରେ କାର୍ଯ୍ୟରତ ସେକ୍ସନ ଅଫିସର ଏମଡି ସୁଲତାନ ହକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ରଣପୁର ତହସିଲର ଆରଆଇ ପ୍ରଶାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ଭାପୁର ତହସିଲରେ କାର୍ଯ୍ୟରତ କନିଷ୍ଠ ରାଜସ୍ୱ ସହାୟକ ଅରୁଣ କୁମାର ସେଠୀ, ରଣପୁର ତହସିଲର ରାଜସ୍ୱ ସୁପର ଭାଇଜର ପ୍ରମୋଦ କୁମାର ବେହେରା ଓ ରଣପୁର ତହସିଲର ଚନ୍ଦ୍ରଶେଖର ନନ୍ଦଙ୍କୁ ଆଜି ଜିଲ୍ଲାପାଳ ସସ୍ପେଣ୍ଡ କରିଛନ୍ତି ।

ନୟାଗଡ଼ ରଣପୁର ତହସିଲ ମୟୂରଝଲିଆ ଗାଁ ନିକଟ ମାଙ୍କଡା ଖଣିରେ ବେଆଇନ ଖନନ ମାମଲାରେ ଏମାନଙ୍କ ସଂପୃକ୍ତି ନେଇ ଅଭିଯୋଗ ହୋଇଥିଲା । ଏନଜିଟି ପକ୍ଷରୁ ଏମାନଙ୍କ ବିରୁଦ୍ଧରେ ଫୌଜଦାରି ମାମଲା ରୁଜୁ କରିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନକୁ ଚିଠି କରାଯିବା ପରେ ରଣପୁର ତହସିଲଦାର ଏମାନଙ୍କ ବିରୁଦ୍ଧରେ ଚାନ୍ଦପୁର ଥାନାରେ ମାମଲା ରୁଜୁ କରିଥିଲେ।