ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ ୬ ଓଡ଼ିଆ

1 min read

ଭୁବନେଶ୍ୱର: ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ ୬ ଓଡ଼ିଆ । ‘ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ସଂରକ୍ଷଣ’ ନାମକ ପ୍ରୋଜେକ୍ଟ ପାଇଁ ଆମେରିକା ବିଦେଶ ବିଭାଗ ପକ୍ଷରୁ ଏହି ୬ ଓଡ଼ିଆଙ୍କୁ ମନୋନୀତ କରାଯାଇଛି । ଏହି ୬ ଜଣ ମାର୍ଚ୍ଚ ୧୩ରେ ହେବାକୁ ଥିବା ୟୁନାଇଟେଡ୍ ଷ୍ଟେଟସ୍ ଇଣ୍ଟରନ୍ୟାସନାଲ୍ ଭିଜିଟର୍ ଲିଡରସିପ୍ ପ୍ରୋଗ୍ରାମରେ ଯୋଗ ଦେବ । ଏହି ୬ ଜଣଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ଟ୍ରଷ୍ଟର ସଂଯୋଜକ ସୌମ୍ୟ ରଞ୍ଜନ ବିଶ୍ୱାଳ, ଗିପ୍ଟ କ୍ରପର ପ୍ରତିଷ୍ଠାତା ସସ୍ମିତା ମହାପାତ୍ର, ଗୁପ୍ତେଶ୍ୱର ହର୍ବାଲ ମେଡିସିନ୍ ଓ ଟ୍ରାଡିସନାଲ ଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରର ସଂପାଦକ ହରି ପାଙ୍ଗୀ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ବସୁନ୍ଧରାର ରିସର୍ଚ୍ଚ ଅଫିସର ଅର୍ଚ୍ଚନା ସୋରେଙ୍ଗ ଓ ’ସମ୍ବାଦ’ର ବ୍ୟୁରୋ ଚିଫ୍ ଭବାନୀ ଶଙ୍କର ତ୍ରିପାଠୀ । ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ୍ ୧ ତାରିଖ ଯାଏଁ ଚାଲିବ ।

ଆମେରିକାର ଜଳବାୟୁ ପରିବର୍ତ୍ତନ ନୀତିର ପ୍ରଭାବ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଉପରେ ରହିଛି । ଏହାର ଏକମାତ୍ର କାରଣ ହେଉଛି ଚୀନ୍ ପରେ ଗ୍ରୀନ ହାଉସ୍ ଗ୍ୟାସ ନିର୍ଗତ କରିବାରେ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟ ଦେଶ ଅପେକ୍ଷା ଆମେରିକା ୪୦୦ ବିଲିୟନ୍ ମେଟ୍ରିକ୍ ଟନରୁ ଅଧିକ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗତ କରିଥାଏ । ଏଥିସହିତ ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ସମ୍ପର୍କରେ ସ୍ଥାନୀୟ ସରକାର, ବେସରକାରୀ ସଙ୍ଗଠନ, ଗଣମାଧ୍ୟମ ଓ ବିଶେଷ କରି ସୋସିଆଲ୍ ମିଡିଆର ମହତ୍ୱପୂର୍ଣ୍ଣ ଭୂମିକା ସମ୍ବନ୍ଧରେ ଏହି ୬ ଜଣିଆ ଓଡ଼ିଆ ପ୍ରତିନିଧି ଦଳ ଅଧ୍ୟୟନ କରିବେ । ମନୋନୀତ ପ୍ରତିନିଧିମାନେ ପରିବେଶ ସୁରକ୍ଷା ଓ ଜଳବାୟୁ ସଂରକ୍ଷଣ ଉପରେ ବେଶ କାମ କରିଛନ୍ତି । ଆମେରିକାରେ ଆମ ମାନଙ୍କର ଅଭିଜ୍ଞତା ରାଜ୍ୟର ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ବେଶ ସହାୟକ ହେବ ବୋଲି ଅଲିଭ ରିଡଲେଙ୍କ ସଂରକ୍ଷଣ ଉପରେ କାମ କରୁଥିବା ଅସ୍ତରଙ୍ଗର ସୗେମ୍ୟରଂଜନ ବିଶ୍ବାଳ କହିଛନ୍ତି ।

ପ୍ରତିବର୍ଷ ଆମେରିକାର ଦୂତାବାସ ଦ୍ୱାରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁଥିବା ପ୍ରତିନିଧିମାନଙ୍କୁ ଚୟନ କରାଯାଇଥାଏ । IVLP ମାଧ୍ୟମରେ ୨୫୦,୦୦୦ରୁ ଉର୍ଦ୍ଧ୍ୱ ବିଦେଶୀ ଆମେରିକାର ଲୋକଙ୍କ ସହିତ ସରକାରୀ ଅଧିକାରୀମାନଙ୍କ ସହ ଯୋଡି ହୋଇଥାନ୍ତି ।