ଡେରାଡୁନରେ ଭାସିଗଲା ପୋଲ, ବାଦଲଫଟା ବର୍ଷାରେ ପ୍ରାଣ ହରାଇଲେ ୬

1 min read

ଡେରାଡୁନ: ଉତ୍ତରାଖଣ୍ଡରେ ପୁଣି ଜଳପ୍ରଳୟ । ଡେରାଡୁନ ଜିଲ୍ଲାରେ ବାଦଲଫଟା ବର୍ଷା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାଇପୁର-କୁମାଲଦା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଜଳସ୍ରୋତରେ ଭାସିଯାଇଛି ଘରଦ୍ବାର । କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ତୋନସ ନଦୀ କୂଳରେ ଥିବା ଶିବ ମନ୍ଦିର ତପକେଶ୍ବରରେ ବି ପଶିଛି ପାଣି ।

ସେହିପରି ସୋଙ୍ଗ ନଦୀରେ ଥିବା ଏକ ପୋଲ ଭାସିଯାଇଛି । ପର୍ଯ୍ୟଟନସ୍ଥଳୀ କେମ୍ପଟି ଫଲ୍ସରେ ବି ସ୍ଥିତି ବିପନ୍ନ ହୋଇଛି । ୧୨ରୁ ଅଧିକ ଗାଁରେ କାଦୁଆମାଟି ପଶିବା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାରେ ପଡିଛନ୍ତି । ବିଭିନ୍ନ ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ମୁତୟନ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସହସ୍ରାଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି । ବିପଜ୍ଜନକ ଅବସ୍ଥାରେ ଫସିଥିବା କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି ।

ମାଳଦେବତା, ଭୁତସି, ତଉଲିୟାକତାଲ, ଥାତଉଦ, ରିଙ୍ଗାଲଗଡ଼, ସର୍ଖେତ ଆଦି ଗ୍ରାମ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ସଂଯୋଗ ବି ବିଚ୍ଛିନ୍ନ ହୋଇଛି । ଋଷିକେଶ-ବଦ୍ରିନାଥ ରାଜପଥରେ ଯାତାୟାତ ବିଚ୍ଛିନ୍ନ ହୋଇଛି । ସେହିପରି ହିମାଚଳ ପ୍ରଦେଶର ବି ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । କାଙ୍ଗ୍ରା ଜିଲ୍ଲାରେ ଚକ୍କି ନଦୀ ଉପରେ ଥିବା ଏକ ରେଳପୋଲ ଭାସିଯାଇଛି । ସେପଟେ ଜମ୍ମୁ ଓ କାଶ୍ମୀରର ମୁତ୍ତାଲ ଅଞ୍ଚଳ ସାମୋଲ ଗ୍ରାମରେ ଭୂସ୍ଖଳନରେ ଦୁଇ ଶିଶୁ ପ୍ରାଣ ହରାଇଛନ୍ତି ।