ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ପୂରିଲା ୪ ବର୍ଷ

1 min read

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ପୂରିଲା ୪ ବର୍ଷ । ୨୦୧୯ ମେ’ ୨୯ ତାରିଖ । ରାଜନୀତି ପଣ୍ଡିତଙ୍କ ବୁଦ୍ଧି ହଜାଇଦେଇଥିଲା ଫଳାଫଳ । ୧୧୨ ଆସନରେ ବାଜି ମାରି ଲଗାତାର ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲା ବିଜୁ ଜନତା ଦଳ ।

ଆରମ୍ଭ ହୋଇଥିଲା ନବୀନ ଶାସନର ଆଉ ଏକ ସଫଳ ଅଧ୍ୟାୟ। ସେ ଐତିହାସିକ ଅଧ୍ୟାୟକୁ ଆଜି ପୂରିଛି ୪ ବର୍ଷ । ଏହାରି ଭିତରେ ଦୁର୍ନୀତିମୁକ୍ତ ଶାସନ ଦେବାରେ ଶ୍ରେଷ୍ଠ ଦୃଷ୍ଟାନ୍ତ ସାଜିଛନ୍ତି ନବୀନ ସରକାର । ଶିକ୍ଷାଠୁ ସ୍ବାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମି ଓ ମୌଳିକ ସୁବିଧା ଯୋଗାଇଦେବାରୁ ମଡେଲ ସାଜିଛି ବିଜେଡି ସରକାର ।

ନୂତନ ଓଡ଼ିଶା ଗଠନର କର୍ଣ୍ଣଧାର ସାଜିଛି 5T । ନୂଆ ଓଡିଶା ଗଠନର ପଡ଼ିଛି ନୂଆ ମୂଳଦୁଆ । ଲୋକଙ୍କ ଘର ଦୁଆର ମୁହଁରେ ପହଞ୍ଚିଛି ପ୍ରଶାସନ। ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାର ଉପରେ ରୋକ ଲଗାଇବାକୁ ଆରମ୍ଭ ହୋଇଛି ମୋ ସରକାର ଅଭିଯାନ । ବିଦା ହେଉଛନ୍ତି ଦୁର୍ନୀତିଖୋର ଓ ଅପାରଗ ଅଫିସର । ସ୍ବଚ୍ଛତା ସହ ରୂପାନ୍ତରଣରେ ଲେଖାହୋଇଛି ନୂଆ ଅଧ୍ୟାୟ । ଘରୋଇ ସ୍କୁଲଠାରୁ ସରକାରୀ ସ୍କୁଲ ଅଧିକ ବିକଶିତ ହୋଇଛି । ସ୍ବାସ୍ଥ୍ୟସେବାରେ ଆସିଛି ଐତିହାସିକ ପରିବର୍ତ୍ତନ ।

ରାଜ୍ୟର ସବୁଠୁ ଅନୁନ୍ନତ ଓ ଦୁର୍ଗମ ଅଞ୍ଚଳକୁ ପହଁଚିଛି ସ୍ବାସ୍ଥ୍ୟସେବା । ଦୀର୍ଘ ୨୩ବର୍ଷ ଧରି ନିରବଚ୍ଛିନ୍ନ ଭାବେ ରାଜ୍ୟବାସୀଙ୍କ ବିଶ୍ବାସ ଜିତି ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ୪ବର୍ଷରେ ରାଜ୍ୟର ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଲୋକେ ଯାହା ଚାହୁଁଥିଲେ ସରକାର ଓ ପ୍ରଶାସନରେ ସେହିଭଳି ନୀତି ଓ ବ୍ୟବସ୍ଥା ପ୍ରତିଫଳିତ ହୋଇଛି । ମିଶନ ଶକ୍ତି ଜରିଆରେ ମହିଳାଙ୍କ ସଶକ୍ତୀକରଣ ହେଉ କି ଗରିବଙ୍କ ପାଇଁ ବିଏସକେଓ୍ବାଇ କାର୍ଡ, 5T ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣ ହେଉ କି ଧାର୍ମିକସ୍ଥଳୀର ସୌନ୍ଦର୍ଯ୍ୟକରଣ, ଲୋକଙ୍କ ଭିତରେ ନବୀନ ସରକାର ପ୍ରତି ବଢିଛି ବିଶ୍ବାସ। 5T ଓ ମୋ ସରକାରରେ ଭଲ କାମ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ସାବାସୀ ମିଳୁଥିବା ବେଳେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ହେଉଛି ତ୍ବରିତ କାର୍ଯ୍ୟାନୁଷ୍ଠାନ।