ସ୍କୁଲ ପାଚେରୀ ପଡ଼ି ୫ମ ଶ୍ରେଣୀ ଛାତ୍ର ମୃତ

କଟକ: ଡିମିରି ପଞ୍ଚାୟତ ନୋଦା ପ୍ରାଥମିକ ବିଦ୍ୟାଳୟରେ ବଡ଼ ଅଘଟଣ । ସ୍କୁଲ ପାଚେରୀ ପଡ଼ି ଜଣେ ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ମିଳିଥିବା ସୂଚନା ଅନୁସାରେ, ନୋଦା ପ୍ରାଥମିକ ବିଦ୍ୟାଳୟର ପାଚେରୀ ନୂଆ କରି ତିଆରି ହୋଇଛି । ମଧ୍ୟାହ୍ନ ଭୋଜନ ସମୟରେ ପାଚେରୀ ପାଖରେ ୫ମ ଶ୍ରେଣୀ ପିଲାଟି ଛିଡ଼ା ହୋଇଥିଲା । ଏହି ସମୟରେ ପାଚେରୀ ଉପରେ ଚଢ଼ି କିଛି ପିଲା ଖେଳୁଥିଲେ । ପାଚେରୀଟି ନୂଆ କରି ତିଆରି ହୋଇଥିବାରୁ ଭୁଶୁଡ଼ି ପଡ଼ିଥିଲା । ଫଳରେ ତଳେ ଥିବା ପିଲାଟି ଉପରେ ପାଚେରୀ ପଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକ ଏସସିବିକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ପିଲାମାନେ ପାଚେରୀ ପାଖକୁ ଯିବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ମଧ୍ୟାହ୍ନ ଭୋଜନ ସମୟରେ ପିଲାମାନେ କାହିଁକି ପାଚେରୀ ପାଖକୁ ଯାଇଥିଲେ ? ନୂଆ ପାଚେରୀ ଉପରେ ଏତେ ପିଲା କେମିତି ଚଢ଼ି ଖେଳିଲେ ? ବିଦ୍ୟାଳୟର ଶିକ୍ଷକମାନେ ଏ ସମ୍ପର୍କରେ କେମିତି ଜାଣି ପାରିଲେନି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି ।