spot_img

Latest Posts

ଖୁବଶୀଘ୍ର ଆରମ୍ଭ ହେବ ସମଲେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ସମ୍ବଲପୁର: ଓଡିଶାର ପ୍ରସିଦ୍ଧ ଶକ୍ତି ପୀଠ ମାନଙ୍କ ମଧ୍ୟରେ ମା ସମଲେଶ୍ୱରୀଙ୍କ ପୀଠ ଅନ୍ୟତମ । ଯେଉଁଥିପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଙ୍ଗଳବାର ଦିନ ସମ୍ବଲପୁର ଯାଇ ମା ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରିବା ସହ ଉକ୍ତ ଅଞ୍ଚଳର ବିକାଶ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

ପଶ୍ଚିମ ଓଡିଶାର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ସହ ସମଲେଶ୍ୱରୀ ପୀଠର ଘନିଷ୍ଠ ସଂପର୍କ ରହିଛି । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନେ ମା’ ଙ୍କ ଆଶୀର୍ବାଦ ପାଇଁ ଆସିଥାନ୍ତି ।

ଏହି ପୀଠର ଗୁରୁତ୍ୱ ଓ ମହିମାକୁ ଦୃଷ୍ଟିରେ ରଖି ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟ ଅତୀତରେ  ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ ସମଲେଶ୍ୱରୀ ମନ୍ଦିର ବିକାଶ ପ୍ରକଳ୍ପରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ପାରିପାର୍ଶ୍ୱିକ ବିକାଶ, ଐତିହ୍ୟ କରିଡରର ବିକାଶ, ଭୋଗମଣ୍ଡପ, ଯାତ୍ରୀ ଓ ଭକ୍ତ ନିବାସ, ପାର୍କିଂ ସୁବିଧା ଏବଂ ନଦୀ ସମ୍ମୁଖ ଭାଗର ବିକାଶକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ମନ୍ଦିରର ପୂଜାରୀ ତଥା ଜମି ହରାଉଥିବା ଲୋକମାନଙ୍କର ଥଇଥାନ ଓ ପୁନର୍ବାସ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯିବ ।

ରାଜ୍ୟ ସରକାରଙ୍କର 5T କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଏବଂ ୨ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହି ପ୍ରତିନିଧି ଦଳରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ଯାଇ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହିତ ଏ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ରାଜ୍ୟ ପୂର୍ତ୍ତ ସଚିବ ଓ ସମ୍ବଲପୁରର ଜିଲ୍ଲାପାଳ ଏ ଯୋଜନା ସଂପର୍କରେ ଉପସ୍ଥାପନା ଦେଇଥିଲା ବେଳେ ଉତ୍ତରାଞ୍ଚଳ ଆର୍‌.ଡି.ସି, ଡି.ଆଇ.ଜି ଏବଂ ଏସ୍‌.ପି ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

Latest Posts

Don't Miss