ରୂପାନ୍ତରଣ ସ୍ପର୍ଶରେ ନୂଆରୂପ ପାଇବ କନ୍ଧମାଳ, ଗ୍ରାଉଣ୍ଡରେ 5T ସଚିବଙ୍କ ସମୀକ୍ଷା

1 min read

କନ୍ଧମାଳ: ଶାଳ ବଣରେ ସମୃଦ୍ଧିର ସ୍ବାକ୍ଷର । ବଦଳିବ କନ୍ଧମାଳର କାୟାକଳ୍ପ । ରୂପାନ୍ତରଣ ଅଧ୍ୟାୟରେ ଯୋଡ଼ି ହୋଇଛି କନ୍ଧମାଳ ଜିଲ୍ଲା । ଗ୍ରାଉଣ୍ଡକୁ ଯାଇ ବିକାଶ ଅଗ୍ରଗତିର ସମୀକ୍ଷା କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଦୁଇଦିନିଆ ଗସ୍ତର ଆଜି ଦ୍ବିତୀୟ ଦିନରେ ସକାଳୁ ସକାଳୁ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5T ସଚିବ  । ଉଦ୍ୟାନ କୃଷି କାର୍ଯ୍ୟାଳୟ ପରିସରରେ ଏସଏଚଡିଙ୍କ ଦ୍ବାରା ଚାଲିଥିବା ପ୍ରକ୍ରିୟାକରଣ ଉଦ୍ୟୋଗ ପରିଦର୍ଶନ କରିଛନ୍ତି । କିଛି ସମୟ ପରେ ତିଲକପଡ଼ାଠାରେ ନିର୍ମାଣାଧୀନ ମେଡିକାଲ କଲେଜର ଅଗ୍ରଗତି ନେଇ ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି । ସେଠାରୁ ଫିରିଙ୍ଗିଆ ଯାଇ ଡିଣ୍ଡିରା ଗାଁ ଆଦର୍ଶ ବିଦ୍ୟାଳୟ, ଫିରିଙ୍ଗିଆ ମିଶନ ଶକ୍ତି କାଫେ, ମିନି ଷ୍ଟାଡିୟମ, ରତଙ୍ଗ ଉଚ୍ଚ ବିଦ୍ୟାଳୟ, ରତଙ୍ଗ ଆଦର୍ଶ ପୋଖରୀ ଏବଂ ବନ୍ଧଗଡ଼ କସମ କାର୍ଯ୍ୟାଳୟ ପରିଦର୍ଶନ କରିବେ । ଏହାପରେ 5T ସଚିବ ଭିକେ ପାଣ୍ଡିଆନ କେ.ନୂଆଗାଁ ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ଓ ମାହାସିଙ୍ଗ ପଥପ୍ରାନ୍ତ ସୁବିଧା କେନ୍ଦ୍ର ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାପରେ ବାଲିଗୁଡାରେ ପାଟ୍ଟଖଣ୍ଡା ମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିବେ । ବାଲିଗୁଡ଼ା ଆମ ଡାକ୍ତରଖାନା ଓ ମିନି ଷ୍ଟାଡିୟମ ପରିଦର୍ଶନ କରି ସେଠାରୁ ଦାରିଙ୍ଗବାଡ଼ି ଅଭିମୁଖେ ଗସ୍ତ କରିବେ 5T ସଚିବ । ଦାରିଙ୍ଗବାଡ଼ିର ହିଲ୍ ଭିୟୁ ପାର୍କ, ଇକୋ କଟେଜ୍ ଓ ମିନି ଷ୍ଟାଡିୟମ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଜି.ଉଦୟଗିରି ଯାଇ କଳିଙ୍ଗ ମହାବିଦ୍ୟାଳୟରେ ବିଭିନ୍ନ ଏସଏଜି, ନାଗରିକ କମିଟି ଓ ସାମାଜିକ ସଙ୍ଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ 5T ସଚିବ ଭିକେ ପାଣ୍ଡିଆନ ।