ଓୟୁଏଟିର ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ, କ୍ୟାମ୍ପସ ବୁଲି ଅନୁଧ୍ୟାନ କଲେ 5T ସଚିବ ଭି.କେ ପାଣ୍ଡିଆନ୍

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଭିକେ ପାଣ୍ଡିଆନ ଆଜି ସଂଧ୍ୟାରେ ସ୍ଥାନୀୟ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ସେଠାରେ 5T ରୂପାନ୍ତର କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଅନେକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହା ସହିତ ସେଠାରେ ପଢ଼ୁଥିବା ଥିବା ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ ।

5T ସଚିବ ପ୍ରଥମେ ନିର୍ମାଣାଧୀନ State of the Art Auditorium କାମ ବୁଲି ଦେଖିଥିଲେ । ୧୦୦୦ ଆସନ ବିଶିଷ୍ଟ ଏହି ଅଡିଟୋରିଅମର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ ବୋଲି ଆଲୋଚନା ସମୟରେ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଏହି ଅତ୍ୟାଧୁନିକ ଅଡିଟୋରିଅମ ଦେଶର ସବୁଠାରୁ ବଡ଼ ଅଡିଟୋରିଅମ ହେବ ଏବଂ କୃଷି ଶିକ୍ଷା କ୍ଷେତ୍ରରେ ରାଜ୍ୟଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତୀୟସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, କର୍ମଶାଳା ଓ କନଫରେନ୍ସର ଆୟୋଜନ କରାଯାଇପାରିବ। ସେହିପରି OUATର ସବୁ କ୍ଲାସରୁମକୁ ସ୍ମାର୍ଟ କ୍ଲାସରୁମ୍ କରାଯିବ । କୃଷି ବିଶ୍ବବିଦ୍ୟାଳୟକୁ ଜାତୀୟ ସ୍ତରର ଏକ ଅଗ୍ରଣୀ ଶିକ୍ଷା ଓ ଗବେଷଣା ଅନୁଷ୍ଠାନରେ ପରିଣତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି 5T ସଚିବ କହିଥିଲେ।

ଏହାପରେ ସେ ୨୦୦ ଆସନ ବିଶିଷ୍ଟ Farmers’ Hostelର ନବୀକରଣ କାମ ବୁଲି ଦେଖିଥିଲେ। କୃଷି ସଂପର୍କିତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା କୃଷକମାନେ ଏହି ହଷ୍ଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ୨୦୨୩ ସେପ୍ଟେମ୍ବର ମାସ ସୁଦ୍ଧା ଏହାର ନବୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ସମୀକ୍ଷାରୁ ଜଣାଯାଇଛି । କୃଷି ବିଶ୍ବବିଦ୍ୟାଳୟର ଛାତ୍ରାବାସ କାମ ମଧ୍ୟ ଭିକେ ପାଣ୍ଡିଆନ ଅନୁଧ୍ୟାନ କରିଥିଲେ । ଏଥିରେ ୫୦୦ ଛାତ୍ର ରହିବାର ବ୍ୟବସ୍ଥା କରାଯାଉଛି । ଡିସେମ୍ବର ୨୦୨୩ ସୁଦ୍ଧା ଏହାର ନିର୍ମାଣ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ପରିଶେଷରେ 5T ସଚିବ ଛାତ୍ରୀନିବାସର ନବୀକରଣ କାର୍ଯ୍ୟ ବୁଲି ଦେଖିଥିଲେ ଏବଂ ଛାତ୍ରୀମାନଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଛାତ୍ରୀନିବାସର ଉନ୍ନତିକରଣ କାର୍ଯ୍ୟ ଖୁବ୍ ଭଲ ହେଉଛି ବୋଲି ଛାତ୍ରୀମାନେ ମତ ଦେଇଥିଲେ । ଛାତ୍ରୀ ନିବାସରେ Badminton Court ଓ Gym ସୁବିଧାର ବିକାଶ ପାଇଁ ସେମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି 5T ସଚିବ ଛାତ୍ରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ପରିଦର୍ଶନ ସମୟରେ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଭି.ଭି.କେ. ଯାଦବ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଓ ଓୟୁଏଟିର କୁଳପତି ପ୍ରମୁଖ ଉପସ୍ଥିତ ଥିଲେ ।