କୋରାପୁଟ ଜିଲ୍ଲାରେ 5T ସଚିବ ଭି.କେ ପାଣ୍ଡିଆନ୍, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର କଲେ ସମୀକ୍ଷା

1 min read

ଜୟପୁର: କୋରାପୁଟ ଜିଲ୍ଲାରେ 5T ସଚିବ ଭି.କେ ପାଣ୍ଡିଆନ । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଜି ସକାଳୁ କୋରାପୁଟର ଶାବର ଶ୍ରୀକ୍ଷେତ୍ର ପରିଦର୍ଶନ କରିଥିଲେ 5T ସଚିବ । ଜଗନ୍ନାଥଙ୍କୁ ଦର୍ଶନ କରି ମନ୍ଦିରର ଉନ୍ନତି ପାଇଁ କ’ଣ ସବୁ ଆବଶ୍ୟକତା ଅଛି ପଚାରି ବୁଝିଥିଲେ । ଏହାପରେ ସେ ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ ପାଇଁ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକୁ ଚଳିତ ବର୍ଷ ଶେଷ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ । ସମୀକ୍ଷା ବେଳେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣାଙ୍କ ସମେତ କୋରାପୁଟ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତାର ଉପସ୍ଥିତ ଥିଲେ ।

ଏହା ପରେ ଜିଲ୍ଲାର ଉପାନ୍ତ ବ୍ଲକ ନାରାୟଣପାଟଣା ଗସ୍ତ କରିଛନ୍ତି 5T ସଚିବ । ସେଠାରେ ବି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ । ଏହା ସହ ଦେଓମାଳି ଓ କୋଟିଆ ଯାଇ ପର୍ଯ୍ୟଟନସ୍ଥଳୀର ବିକାଶ ଉପରେ ଆଲୋଚନା କରିବେ । କୋରାପୁଟ ଜିଲ୍ଲାର ବୋରିଗୁମା ବ୍ଲକରେ ମିଶନ ଶକ୍ତି ମା’ଙ୍କ କାର୍ଯ୍ୟ ଦେଖିବେ 5T ସଚିବ । ଗତକାଲି କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵର ଯାଇ ମନ୍ଦିରରେ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।