ରାଉରକେଲା ଯିବେ 5T ସଚିବ, ସରକାରୀ କାର୍ଯ୍ୟର ସ୍ଥିତି ପରଖିବେ

1 min read

ଭୁବନେଶ୍ୱର:  ଆଜି ରାଉରକେଲା ଗସ୍ତରେ ଯିବେ 5-ଟି ସଚିବ ଭି କେ ପାଣ୍ଡିଆନ । 5-ଟି ସଚିବଙ୍କ ସହ ରହିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର , ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଆର ଭିନେଲ କ୍ରିଷ୍ଣା ଓ ଏନ ଏଚ ଏମ ନିର୍ଦେଶିକା ସାଲିନୀ ପଣ୍ଡିତ । ସକାଳ ୧୧ରେ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବା ପରେ ରାଉରକେଲା ସହରର ବିପିୟୁଟି ପରିସରରେ ନିର୍ମିତ ହେଉଥିବା ଆନ୍ତର୍ଜାତୀୟସ୍ତରର ଦେଶର ସର୍ଵଵୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ରାଉରକେଲା ସହରର ଛେଣ୍ଡ କଲୋନୀରେ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ନିର୍ମିତ ହେଉଥିବା ୫ ଶହ ଗୃହ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିବେ । ଏହାପରେ ଛେଣ୍ଡ କଲୋନୀରେ ନିର୍ମିତ ହେଉଥିବା ସାଇନସ ପାର୍କ ଓ ପ୍ଲାନୋଟୋରିୟମ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବେ ।

ସୁନ୍ଦରଗଡ଼ ଜିଲ୍ଲାରେ କ୍ରୀଡାର ବିକାଶ କାର୍ଯ୍ୟ କିପରି ଚାଲିଛି ଏହାର ସମୀକ୍ଷା କରିବେ 5-ଟି ସଚିବ । ଵିଶ୍ରା ଛକଠାରେ ୧୦ ହଜାର ଦର୍ଶକ ବସିବାର ସୁବିଧା ଥିବା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ଗସ୍ତ କରି ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବେ । ସେହିଭଳି ରାଉରକେଲା ସହରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହିତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଵାର କାର୍ଯ୍ୟକ୍ରମ ରହିଛି । ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ବ୍ରୀଜ, ଅଙ୍ଗନୱାଡ଼ି ଓ ହାଇସ୍କୁଲ ଉନ୍ନତିକରଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଗତ ଫେବୃଆରୀରେ ସୁନ୍ଦରଗଡ଼ ଜିଲ୍ଲାର ବିକାଶ କାର୍ଯ୍ୟ ପାଇଁ ୪ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଉନ୍ନତିମୂଳକ କାର୍ଯ୍ୟ କିପରି ଚାଲିଛି ଏହାର ସମୀକ୍ଷା କରିବେ 5-ଟି ସଚିବ ।

ରାଉରକେଲା ସହରର ପାନୀୟ ଜଳ ସମସ୍ୟାର ସମାଧାନ କରିବା ସହ ଵୃହତ ଜଳ ସେଚନ ପ୍ରକଳ୍ପ ହମିରପୁର କୋଏଲ ବ୍ୟାରେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟ କିପରି ତ୍ୱରାନ୍ୱିତ ହେଵ ତାହାକୁ ନେଇ ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲ ଗୁଡ଼ିକର ଉନ୍ନତୀକରଣ ସହ ସ୍କୁଲ ପରିବେଶକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ ‘୫-ଟି ଓ ମୋ ସରକାର ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ହାଇସ୍କୁଲ ଟ୍ରାନ୍ସଫର୍ମେସନ ତଥା ରୁପାନ୍ତରଣ କାର୍ଯ୍ୟକ୍ରମ କରାଯାଉଛି । ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ନିର୍ମାଣ କରାଯାଉଛି । ଏହି କାର୍ଯ୍ୟର ସମୀକ୍ଷା କରିବା ସହ ରାଉରକେଲା ସହରରେ କୋଭିଡ ସ୍ଥିତି ସମୀକ୍ଷା କରିଵାର କାର୍ଯ୍ୟକ୍ରମ ରହିଛି ।

Leave a Reply