spot_img

Latest Posts

ପାଇଲଟ୍ ହେବାର ସ୍ୱପ୍ନ ଦେଖୁଥିବା ଛାତ୍ରୀଙ୍କୁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଲେ 5T ସଚିବ

ସୁନ୍ଦରଗଡ଼: ଛାତ୍ରୀଙ୍କ ସ୍ୱପ୍ନକୁ ଉଡାଣ ଦେବାକୁ ଫାଇବ-ଟି ସଚିବଙ୍କ ପ୍ରଶଂସନୀୟ ଉଦ୍ୟମ। ପାଇଲଟ୍ ହେବାର ସ୍ୱପ୍ନ ଦେଖୁଥିବା ସୁନ୍ଦରଗଡ଼ର ଛାତ୍ରୀ ଭୂମିକାଙ୍କୁ ପ୍ରେରଣା ଦେବାକୁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଲେ ‘୫ଟି’ ସଚିବ। ସୁନ୍ଦରଗଡ଼ ଜିଲ୍ଲାର ହାଇସ୍କୁଲ ରୂପାନ୍ତରଣ ବେଳେ ଭର୍ଚୁଆଲରେ ଭି.କେ ପାଣ୍ଡିଆନ ପିଲାଙ୍କୁ ଭବିଷ୍ୟତରେ କ’ଣ ହେବେ ବୋଲି ପଚାରିଥିଲେ । ପାଇଲଟ୍ ହେବାର ସ୍ୱପ୍ନ ଥିବା କହିଥିଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଡୁଡୁକା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଭୂମିକା ପ୍ରଧାନ। ତେଣୁ ତାଙ୍କୁ ଏକ ପ୍ରେରଣାଦାୟୀ ବହି ପଠାଇବେ ବୋଲି କହିଥିଲେ ଭି.କେ ପାଣ୍ଡିଆନ।

ତେବେ ବର୍ତ୍ତମାନ 5T ସଚିବ ଭୂମିକାଙ୍କ ପାଇଁ ସାହସୀ ପାଇଲଟ୍ ଏବଂ ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଏକ ଲୋକପ୍ରିୟ କମିକ୍ ପୁସ୍ତକ ‘ଦ ଆଡଭେଞ୍ଚରସ୍ ଅଫ୍ ଦ ଡେୟାରଡେଭିଲ ଡେମୋକ୍ରାଟ୍’ ପଠାଇଛନ୍ତି । ବହିଟି ଭୂମିକାଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି। ଭୂମିକା ତାଙ୍କ ବାପାଙ୍କ ସହ ଆସି ଜିଲ୍ଲାପାଳଙ୍କଠାରୁ ବହିଟି ଗ୍ରହଣ କରିଥିଲେ। ଏହି ପ୍ରେରଣାଦାୟୀ ପଦକ୍ଷେପ ପାଇଁ ଭୂମିକା ଓ ତାଙ୍କ ବାପା ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୁସ୍ତକ ପ୍ରଦାନ ସମୟରେ ସୁନ୍ଦରଗଡ଼ଠାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୈରବ ସିଂହ ପଟେଲ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ ଓ ଡୁଡୁକା ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିନେଶ ଚନ୍ଦ୍ର ପଟେଲ ଉପସ୍ଥିତ ଥିଲେ।

Latest Posts

Don't Miss