ଦେବଗଡ଼ରେ 5T ସଚିବଙ୍କ ମାରାଥନ ସମୀକ୍ଷା, ଲୋକଙ୍କ ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ

1 min read

ଦେବଗଡ଼: ଦେବଗଡ଼ ବିକାଶର ନୂଆ ଅଧ୍ୟାୟ । ଶିକ୍ଷାଠୁ ସ୍ବାସ୍ଥ୍ଯ, କୃଷିଠୁ ପର୍ଯ୍ୟଟନ, ସବୁଠି ଲାଗିବ ରୂପାନ୍ତରଣ ସ୍ପର୍ଶ । ଲୋକଙ୍କ ଘରେଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ଏଥିପାଇଁ ବାରାକୋଟ, ରିଆମାଳ ଓ ତିଳେଇବଣୀ ବ୍ଲକରେ ୬୦୯ କୋଟି ଟଙ୍କାରେ ପ୍ରକଳ୍ପ ନିର୍ମାଣ ଚାଲିଛି । ଜନସାଧାରଣଙ୍କ ଦୁଆରେ ପହଞ୍ଚି ସମସ୍ୟା ଶୁଣିଛି ସିଏମଓ । ପ୍ରବଳ ବର୍ଷା ସତ୍ତ୍ବେ ସମସ୍ୟାର ଅନୁଧ୍ୟାନ କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଲଗାଣ ବର୍ଷାରେ ରେନକୋଟ ପିନ୍ଧି ଲୋକଙ୍କଠାରୁ ସମସ୍ୟା ଶୁଣିଥିଲେ ।

୭ଦିନ ଭିତରେ ଲୋକଙ୍କ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭିକେ ପାଣ୍ଡିଆନ । ଦେବଗଡ଼ର ପ୍ରସିଦ୍ଧ ମାଆ ଝାଡେଶ୍ବରୀ ମନ୍ଦିରର ହେବ ରୂପାନ୍ତରଣ । ଏଥିପାଇଁ ପୀଠକୁ ଯାଇ ପୂଜାର୍ଚ୍ଚନା କରିବା ସହ ପୂଜକ ଓ ଭକ୍ତଙ୍କ ସହ ଆଲୋଚନା କରିଥିଲେ ଭିକେ ପାଣ୍ଡିଆନ । ଶ୍ରାବଣର ଦ୍ବିତୀୟ ସୋମବାରରେ ପୀଠକୁ ଆସିଥିବା କାଉଡ଼ିଆଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ପରେ ତିଳେଇବଣି ମିଶନ ଶକ୍ତି କାଫେକୁ ଯାଇ ଜଳଖିଆ କରିଥିଲେ । ବଳମ ଆଦର୍ଶ ଖେଳ ପଡ଼ିଆରେ ମିଶନ ଶକ୍ତି ମା’ଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।

ଦେବଗଡ଼ର ଘରେଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ରିଆମାଳ ଓ ବାରକୋଟ ବ୍ଲକରେ ଜାନୁଆରୀ ସୁଦ୍ଧା ପିଇବା ପାଣି ସମସ୍ୟାର ସମାଧାନ ହେବ । ଏଥିପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଖୁବଶୀଘ୍ର ଅନ୍ୟସମସ୍ତ ଅଞ୍ଚଳରେ ବି ପାନୀୟ ଜଳର ସୁବିଧା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ । କଁସର ଫାଇଭ-ଟି ସ୍କୁଲ ପରିଦର୍ଶନ କରିଥିଲେ ଭିକେ ପାଣ୍ଡିଆନ । ଉତ୍ସାହର ସହିତ ହକି ଷ୍ଟିକ ଗେଟ ମାଧ୍ୟମରେ ଫାଇଭ-ଟି ସଚିବଙ୍କୁ ସ୍ବାଗତ କରିଥିଲେ ଛାତ୍ରଛାତ୍ରୀ ।

ଲଗାଣ ବର୍ଷା ସତ୍ତ୍ବେ ବିଭିନ୍ନ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ ଫାଇଭ-ଟି ସଚିବ । ମନ୍ଦିର, ମସଜିଦ, କମ୍ୟୁନିଟି ସେଣ୍ଟର ପାଇଁ ଆସିଥିବା ଆବେଦନପତ୍ର ୭ ଦିନ ମଧ୍ୟରେ ସମାଧାନ କରାଯିବ । ଚାଷୀଙ୍କ ସମସ୍ୟା ମଧ୍ୟ ତୁରନ୍ତ ସମାଧାନ ହେବ। ସରକାର ଦେଉଥିବା ଅନୁଦାନକୁ ସ୍ବଚ୍ଛତାର ସହ ବିନିଯୋଗ କରିବାକୁ ଆହ୍ବାନ ଦେଇଛନ୍ତି ଭିକେ ପାଣ୍ଡିଆନ । ଯେଉଁଠି ଜନତା ସେଇଠି ସିଏମଓ । ଲୋକଙ୍କ ପାଇଁ ପ୍ରଶାସନ । ରାଜ୍ୟ ସରକାରଙ୍କ ସେବା ମନ୍ତ୍ରକୁ ନେଇ ଜନତାଙ୍କ ପାଖରେ ପହଞ୍ଚୁଛନ୍ତି ଫାଇଭ-ଟି ସଚିବ । ଯାହା ଦେବଗଡ଼ ଗସ୍ତ ସମୟରେ ପ୍ରମାଣିତ ହୋଇଛି ।