ପ୍ରଦୂଷଣ ଓ ଟ୍ରାଫିକ ସମସ୍ୟା ଦୂର କରିବାକୁ ୧୪ ଶହ କୋଟି ଟଙ୍କାର ବଡବିଲ ରିଂ  ରୋଡ

1 min read

କେନ୍ଦୁଝର: କେନ୍ଦୁଝର ଲେଖୁଛି ନୂଆ ବିକାଶ କାହାଣୀ । ଦୁଇ ଦିନିଆ  କେଉଁଝର  ଗସ୍ତରେ  ଯାଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ୍ । ପାଟଣା, ଚମ୍ପୁଆ, ଯୋଡ଼ା ବ୍ଲକ ଓ କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ବହୁସଂଖ୍ୟକ ହିତାଧିକାରୀଙ୍କ ସହ କଲେ ଆଲୋଚନା । ଖଣି ସମୃଦ୍ଧ ବଡବିଲର ପ୍ରଦୂଷଣ ଓ ଟ୍ରାଫିକ ସମସ୍ୟା ଦୂର ପାଇଁ ଶୀଘ୍ର ୧୪ ଶହ କୋଟି ଟଙ୍କାର ବଡବିଲ ରିଂ  ରୋଡ ପ୍ରକଳ୍ପ ଆରମ୍ଭ କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବିଷୟରେ ସୂଚନା  ଦେଇଛନ୍ତି 5T ସଚିବ ।

ପ୍ରଥମେ ପାଟଣା ବ୍ଲକର ଭୀମକଣ୍ଡକୁ ଯାଇ ସେଠାରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ ପାଣ୍ଡିଆନ୍ । ଏହାପରେ 5T ସଚିବ ଚମ୍ପୁଆ ଯାଇ ଏନଏସି ସ୍ଥିତ ଜଳ ବିଶୋଧନାଗାର ପରିଦର୍ଶନ କରିଥିଲେ । ସେଠାରେ ଜାରି ରହିଥିବା ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପ୍ରକଳ୍ପ ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା । ପ୍ରକଳ୍ପଟି ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ । ଏହି ଅବସରରେ 5T ସଚିବ ‘ଜଳ ସାଥୀ’ଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କ ହିତ ପାଇଁ ସେମାନଙ୍କ କାର୍ଯ୍ୟ ବେଶ୍ ଗୁରୁତ୍ୱବହନ କରୁଛି ବୋଲି କହିଥିଲେ ।

ପରେ ସେ ନେହେରୁ ଷ୍ଟାଡିୟମରେ ଏକ ସ୍ଥାନୀୟ ସମାବେଶକୁ ସମ୍ବୋଧିତ କରିଥିଲେ  5T ସଚିବ । ସେଠାରୁ ବଡ଼ବିଲ ଗସ୍ତ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ଏନଆରସି ଓ ଡାଇଲିସିସ୍ ସେଣ୍ଟରରେ ଉପଲବ୍ଧ ହେଉଥିବା ସୁବିଧା ବିଷୟରେ ରୋଗୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ମତାମତକୁ ଶୁଣିଥିଲେ । ପରେ ଯୋଡ଼ା ବ୍ଲକର ସେରେଣ୍ଡା ପରିଦର୍ଶନ କରି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଏବଂ ଆଦିବାସୀ ବିକାଶ ସମିତିର ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ସେଠାରେ ଆଦିବାସୀ ବିକାଶ ସମିତିର ୯ ଶହ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି ସୂଚନା ଦେଇଥିଲେ ପାଣ୍ଡିଆନ୍ । ଏହାପରେ, ଯୋଡ଼ା ଫ୍ଲାଇ ଓଭରରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ସେଠାରୁ ଯୋଡ଼ାଠାରେ ଥିବା ଜରାଶ୍ରମକୁ ପରିଦର୍ଶନରେ ଯାଇ ଅନ୍ତେବାସୀଙ୍କ ମଧ୍ୟାନ୍ନ ଭୋଜନରେ ଅଂଶଗ୍ରହଣ କରିଥିଲେ ।

କାନପୁର ଜଳସେଚନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ସେଠାରେ ପ୍ରକଳ୍ପର ଅଗ୍ରଗତିର ଆକଳନ ସାଙ୍ଗକୁ ଜାତୀୟ ରାଜପଥ ସହ ଜଡ଼ିତ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ । ସେଠାରୁ କେନ୍ଦୁଝର ସହରସ୍ଥିତ ଓଏସଏମଇ କମ୍ପ୍ଲେକ୍ସକୁ ଯାଇ ମିଶନ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସମ୍ବୋଧିତ କରିଥିଲେ । ପରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ‘ମିଶନ୍ ଶକ୍ତି’ କାଫେ ପରିଦର୍ଶନ କରିଥିଲେ ।  ସେଠାରୁ ସେ କେନ୍ଦୁଝର ଅଡିଟୋରୀୟମ ଯାଇ ସେଠାରେ ପ୍ରାୟ ୧ ହଜାର ସଂଖ୍ୟାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମ୍ବୋଧିତ କରିଥିଲେ । ସେଠାରୁ ସ୍ଥାନୀୟ ହ୍ୟାଣ୍ଡବଲ୍ ଷ୍ଟାଡିୟମ ପରିଦର୍ଶନରେ ଯାଇ ସେଠାରେ ତାଲିମ୍ ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ଉତ୍ସାହ କରିବା ସହ ଖେଳ ପ୍ରତି ଉତ୍ସର୍ଗୀକୃତତାକୁ ଦେଖି ଖୁସି ବ୍ୟକ୍ତ କରିଥିଲେ । ଏହାସହ ଷ୍ଟାଡିୟମରେ ଉପସ୍ଥିତ ହ୍ୟାଣ୍ଡବଲ୍ ଖେଳାଳିଙ୍କ ସହ କଥା ହୋଇଥିଲେ । ପରେ, ବଳଦେବଜୀଉ ମନ୍ଦିର ପରିଦର୍ଶନରେ ଯାଇ ସେଠାରେ  ପୂଜାର୍ଚନା କରିଥିଲେ । ପରେ ବଡ଼ଦାଣ୍ଡରେ ଚାଲିଥିବା ବିକାଶ କାର୍ଯ୍ୟ ଓ ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ସେଠାରୁ ହାଡ଼ବନ୍ଧ ଜଳାଶୟ ପରିଦର୍ଶନରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।