ସହଯୋଗର ହାତ ବଢ଼ାଇଲେ 5T ସଚିବ, ସାକାର ହେବ ଗରିବ ମେଧାବୀ ଛାତ୍ରୀଙ୍କ ଉଚ୍ଚଶିକ୍ଷା ସ୍ୱପ୍ନ

1 min read

ଭଦ୍ରକ: ସହଯୋଗର ହାତ ବଢ଼ାଇଲେ 5T ସଚିବ ଭି.କେ ପାଣ୍ଡିଆନ । ଦୂର ହେଲା ସମସ୍ୟା । ସାକାର ହେବ ଗରିବ ମେଧାବୀ ଛାତ୍ରୀଙ୍କ ଉଚ୍ଚଶିକ୍ଷା ସ୍ବପ୍ନ । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ସାନ ହାଟୁଆରି ଗାଁର ରାଧାରାଣୀ ମହାଳିକ ଚଳିତବର୍ଷ ଯୁକ୍ତଦୁଇ କଳାରେ ବିରଞ୍ଚି ନାରାୟଣ ମାଧବାର୍ଜୁନ କଲେଜର ଟପ୍ପର ହୋଇଛନ୍ତି । ହେଲେ ବାପା ଆରପାରିକୁ ଚାଲି ଯାଇଥିବାରୁ ଅଭାବୀ ପରିବାରର ଦାୟିତ୍ୱ ରାଧାରାଣୀଙ୍କ ମୁଣ୍ଡରେ ପଡ଼ିଥିଲା । ଝୁମ୍ପୁଡି ଘର ଅଗଣାରେ ପିଲାଙ୍କୁ ଟିଉସନ କରି ସାନଭାଇର ପାଠପଢ଼ା, ଜେଜେ, ଜେଜେ ମା’ ଓ ମାଆଙ୍କର ସମସ୍ତ ଖର୍ଚ୍ଚ ତୁଲାଉଥିଲେ ରାଧାରାଣୀ । ଆର୍ଥିକ ସମସ୍ୟା ଯୋଗୁ ସେ ଉଚ୍ଚଶିକ୍ଷାର ସ୍ବପ୍ନକୁ ଜଳାଞ୍ଜଳି ଦେବାକୁ ପ୍ରସ୍ତୁତ ହେଉଥିଲେ ।

ତେବେ ଜଣେ ସମାଜସେବୀଙ୍କ ଟୁଇଟ୍ ପରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ସହାୟତାର ହାତ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଧାରାଣୀଙ୍କ ସବୁ ସମସ୍ୟା ଦୂର ପାଇଁ ପଦକ୍ଷେପ ନେବାକୁ ଭଦ୍ରକ ଜିଲାପାଳଙ୍କୁ ଚିଠି ଲେଖଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ତାଙ୍କ ଉଚ୍ଚଶିକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ରାଧାରାଣୀଙ୍କ ମୁହଁରେ ହସ ଫୁଟିଛି । ଝିଅର ସ୍ବପ୍ନ ପୂରଣ ପାଇଁ ବାଟ ଫିଟିଥିବାରୁ ପରିବାରର ସମସ୍ତେ ଉତ୍ସାହିତ ଅଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଧାରାଣୀ ଓ ତାଙ୍କ ପରିବାର ।