ଅଭାବ ଆଗରେ ଅଟକିବନି ପାଠପଢ଼ା, ଦୁଇ ଗରିବ ଛାତ୍ରୀଙ୍କୁ ସହଯୋଗର ହାତ ବଢ଼ାଇଲେ 5T ସଚିବ

1 min read

ନୂଆପଡ଼ା: ଅଭାବ ଆଗରେ ଅଟକିବନି ପାଠପଢ଼ା । ଦୁଇ ଗରିବ ଛାତ୍ରୀଙ୍କୁ ସହଯୋଗର ହାତ ବଢ଼ାଇଲେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ । ଆର୍ଥିକ ସଙ୍କଟ ଯୋଗୁ ପାଠପଢ଼ାରେ ଡୋରି ବାନ୍ଧି ଘରେ ବସିଥିବା ୨ ଛାତ୍ରୀଙ୍କୁ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ସହୟତାର ହାତ ବଢ଼ାଇଛନ୍ତି । ନୂଆପଡ଼ା ଜିଲ୍ଲା ଟାନୁଆଟ ପଞ୍ଚାୟତ ରତିପାଲି ଗାଁର ପୁରୁଷୋତ୍ତମ ନାଏକଙ୍କର ୪ ଝିଅ ଥିବା ବେଳେ ବଡ଼ଝିଅ ଚାନ୍ଦିନୀ ୨୦୨୦ରେ ୭୬ ପ୍ରତିଶତ ମାର୍କ ରଖି ମାଟ୍ରିକ ପାସ୍ କରିଥିଲେ । କିନ୍ତୁ ବାପା ପୁରୁଷୋତ୍ତମ ଓ ମାଆ ଭୁବନେଶ୍ବରୀ ନାୟକ ଶ୍ରମିକ ଭାବରେ କାର୍ଯ୍ୟ କରି ପରିବାର ଚଳାଉଥିବାରୁ ଝିଅ ଚାନ୍ଦିନୀଙ୍କୁ ଅଧିକ ପାଠ ପଢ଼ାଇ ପାରିନଥିଲେ । ସେହିପରି ଦ୍ବିତୀୟ ଝିଅ ହିମାଂଶୀ ଏବେ ଦଶମ ଶ୍ରେଣୀରେ ୬୫ ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି ।

କିନ୍ତୁ ଆର୍ଥିକ ସଙ୍କଟ ଯୋଗୁ ଦୁଇଝିଅ ଅଧିକ ପାଠ ପଢାରୁ ବଞ୍ଚିତ ହୋଇଥିଲେ । ଏନେଇ ଖବର ପାଇଥିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଭଉଣୀଙ୍କ ପାଇଁ ଆର୍ଥିକ ସହଯୋଗ ବ୍ୟବସ୍ଥା କରିଛନ୍ତି । ଫାଇଭ-ଟି ସଚିବଙ୍କ ନିର୍ଦ୍ଦେଶରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ଦୁଇ ଛାତ୍ରୀଙ୍କ ଘରେ ପହଞ୍ଚି ଉଚ୍ଚଶିକ୍ଷା ନେଇ ସମସ୍ତ ସମସ୍ୟା ବୁଝିବା ସହ ଆର୍ଥିକ ସହାୟତା ବ୍ୟବସ୍ଥା କରିଥିଲେ । ବ୍ଲକ ଅଧ୍ୟକ୍ଷ୍ୟା ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହାସହ ଆଗକୁ ଆଉ ସମସ୍ତ ସୁବିଧା ଯୋଗାଯିବାର ପ୍ରତିଶ୍ରୁତି ଦେଇଛନ୍ତି । ସାହାଯ୍ୟ ପାଇବା ପରେ ଦୁଇ ଭଉଣୀ ଓ ତାଙ୍କ ପରିବାର ସମେତ ଗାଁ ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।