ବିଭିନ୍ନ ମେଡିକାଲ ବୁଲି ଦେଖିଲେ 5T ସଚିବ

1 min read

ଦେବଗଡ଼/ଅନୁଗୁଳ: ସ୍ୱାସ୍ଥ୍ୟସେବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ସେବାରେ ସ୍ୱଚ୍ଛତା ଓ କାମରେ ପ୍ରତିବଦ୍ଧତା ପାଇଁ ପ୍ରଣୟନ କରିଛନ୍ତି ମୋ ସରକାର ଭଳି କାର୍ଯ୍ୟକ୍ରମ । ଗ୍ରାଉଣ୍ଡରେ ଯାହାର ରିଏଲିଟି ଚେକ୍ କରୁଛନ୍ତି 5T ସଚିବ ଭିକେ ପାଣ୍ଡିୟାନ୍ । ସରକାରଙ୍କ ଯୋଜନାକୁ ଲୋକାଭିମୁଖୀ କରିବା ସହ ହିତାଧିକାରୀ ପାଇଥିବା ସେବାର ମାନ ଯାଞ୍ଚ କରୁଛନ୍ତି । ଏହି କ୍ରମରେ ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ଗସ୍ତ କରି ସ୍ଥିତି ପରଖିଛନ୍ତି 5T ସଚିବ ଭିକେ ପାଣ୍ଡିୟାନ୍ ।

5T

5T ସଚିବ ଭିକେ ପାଣ୍ଡିୟାନ୍, ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ଅର୍ଥ ସଚିବ ଏକେ ମୀନା ଦେବଗଡ଼ ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିବା ସହ ରୋଗୀଙ୍କୁ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି । ଜିଲ୍ଲା ମେଡିକାଲରେ କଣ ସୁବିଧା ରହିଛି । ଡାକ୍ତର କିପରି ବ୍ୟବହାର କରୁଛନ୍ତି । ଠିକ୍ ଭାବେ ସବୁ ସେବା ମିଳୁଛି ତ ? ଏନେଇ ରୋଗୀ ଓ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ । ପରେ ଡାକ୍ତରଖାନାର ବରିଷ୍ଠ ଡାକ୍ତର ଓ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ ।

ହେଲିକପ୍ଟର ଯୋଗେ 5T ସଚିବ, ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଓ ଅର୍ଥ ସଚିବ ଦେବଗଡ଼ରେ ପହଞ୍ଚିବା ପରେ ପୋଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଡାକ୍ତରଖାନା ଓ ମହାବିଦ୍ୟାଳୟ ଗସ୍ତ କରିଥିଲେ । ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ଚିକିତ୍ସାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ରୋଗୀ ମାନଙ୍କ ସହ କଥା ହୋଇଥିଲେ ।

ଅନୁଗୁଳ ଚିକିତ୍ସାଳୟ ଉପରେ ଦେବଗଡ଼, ସମ୍ବଲପୁର, କଟକ, ଢେଙ୍କାନାଳ ଜିଲ୍ଲାର ଲୋକ ନିର୍ଭର କରନ୍ତି । ଦୈନଦିନ ଶହ ଶହ ରୋଗୀ ଆସୁଥିବା ବେଳେ ସେହି ଅନୁସାରେ ଚିକିତ୍ସାଳୟରେ ବେଡ଼ ଓ ଭିତ୍ତିଭୂମି ନାହିଁ । ଏ କଥାକୁ ହୃଦୟଙ୍ଗମ କରି ଆଗାମୀ ଦିନରେ ଭିତ୍ତିଭୂମିର ବିକାଶ କରାଯିବ ବୋଲି କହିଛନ୍ତି । ଶଯ୍ୟାସଂଖ୍ୟା ୧୯୨ରୁ ୩୦୦କୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏଥିସହ ଚିକିତ୍ସାଳୟରେ ଥିବା ଅଭାବ ପୂରଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି କହିଛନ୍ତି l ଏହି ଅବସରରେ ଜିଲ୍ଲାପାଳ ମନୋଜ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅମରେନ୍ଦ୍ର ନାଥ ମହାନ୍ତି ଓ ଅନ୍ୟ ଡାକ୍ତର ମାନେ ଉପସ୍ଥିତ ଥିଲେ l ')}

Leave a Reply