୨୦୨୨ ଜୁନ ସୁଦ୍ଧା ସରିବ ବରମୁଣ୍ଡା ଆଇଏସବିଟି ନିର୍ମାଣ କାର୍ଯ୍ୟ

1 min read

ଭୁବନେଶ୍ୱର: 5T ସଚିବ ଭି.କେ ପାଣ୍ଡିଆନ ଆଜି ଭୁବନେଶ୍ୱରର ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ ଟି ସଚିବ ଶ୍ରୀ ପାଣ୍ଡିଆନ ବରମୁଣ୍ଡାସ୍ଥିତ ଆନ୍ତଃରାଜ୍ୟ ବସ ଟର୍ମିନାଲ ବା ଆଇଏସବିଟି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହା ସହ ସିଆରପିଏଫ ସ୍କୋୟାରରୁ ଗଣିତ ପ୍ରତିଷ୍ଠାନକୁ ସଂଯୋଗ କରୁଥିବା ରାସ୍ତା, ଚନ୍ଦ୍ରଶେଖରପୁରସ୍ଥିତ ଗୃହ ନିର୍ମାଣ ପ୍ରକଳ୍ପ ଓ ଇନଫୋସିଟି ନିକଟସ୍ଥ ଇନକ୍ୟୁବେସନ ଟାୱାର କାର୍ଯ୍ୟର ମଧ୍ୟ ସେ ସମୀକ୍ଷା କରିଥିଲେ।

ସୂଚନା ମୁତାବକ,  ୧୮୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ବରମୁଣ୍ଡାରେ ପ୍ରାୟ ୧୫ ଏକର ୫ ଡେସିମିଲ ଜାଗାରେ ନିର୍ମାଣ ହେବ ଆଇଏସବିଟି। ଆସନ୍ତା ୨୦୨୨ ଜୁନ ସୁଦ୍ଧା ଏହାର କାମ ଶେଷ ହେବ। ଖଣ୍ଡଗିରିସ୍ଥିତ ବସ ଡିପୋଟ ମଧ୍ୟ ଏହି ପ୍ରକଳ୍ପର ଅନ୍ତର୍ଗତ ଏବଂ ଏଠାରେ ୩୦୦ ବସ୍ ରହିପାରିବାର ବ୍ୟବସ୍ଥା ରହିଛି । ପ୍ରକଳ୍ପର ଗୁଣବତ୍ତା ନେଇ ଗୁରୁତ୍ୱ ପ୍ରଦାନ କରିଥିଲେ ଫାଇଭ ଟି ସଚିବ।

ସେହିପରି ଜୟଦେବ ବିହାର ଓ ପଟିଆ ମଧ୍ୟରେ ଟ୍ରାଫିକ ଜାମ୍ ଦୂର କରିବା ଲାଗି ପୂର୍ତ୍ତ ବିଭାଗ ଦ୍ବାରା ବାମ ସମାନ୍ତରାଳ ପଥ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ରୋଡ ସିଆରପିଏଫ ସ୍କୋୟାରରୁ ଗଣିତ ପ୍ରତିଷ୍ଠାନକୁ ସଂଯୋଗ କରିବ । ୯୨ କୋଟି ଟଙ୍କା ମୂଲ୍ୟରେ ଏହି ୧୩.୬ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି । ସେହିପରି ଜାଭିୟର ସ୍କୋୟାରରୁ ଇନଫୋସିଟି ସ୍କୋୟାରକୁ ସଂଯୋଗ କରୁଥିବା ରାସ୍ତାର ବି ନିର୍ମାଣ ଚାଲିଛି । ଚନ୍ଦ୍ରଶେଖରପୁରରେ ୨୦.୨୧ ଏକର ଜାଗାରେ ନିର୍ମାଣାଧୀନ ରହିଛି ୨୬୦୦ ଘର। ଏହି ପ୍ରକଳ୍ପରେ ସ୍କୁଲ, ସ୍ୱାସ୍ଥ୍ୟ, ସପିଂ ସେଣ୍ଟର, ଖେଳ ପଡିଆ ଆଦି ବ୍ୟବସ୍ଥା ରହିବ। ସେହିପରି ୨୨୧ କୋଟି ଟଙ୍କା ବ୍ୟୟରେ ଇଡକୋ ଦ୍ୱାରା ଇନଫୋସିଟି ନିକଟରେ  ଇନକ୍ୟୁବେସନ ଟାଓ୍ୱାର ନିର୍ମାଣାଧୀନ ରହିଛି । ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ଲକ୍ଷ୍ୟ ରହିଛି।

ପାଣ୍ଡିଆନଙ୍କ ସହ ବିଏମସି କମିଶନର ସଞ୍ଜୟ ସିଂହ, ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ଉପସ୍ଥିତ ଥିଲେ । ଉନ୍ନତମାନର କାର୍ଯ୍ୟ ଉପରେ ଫାଇଭ-ଟି ସଚିବ ଗୁରୁତ୍ୱ ଦେଇଥିବାବେଳେ ନିର୍ଦ୍ଦିଷ୍ଟ ସମୟସୀମା ସୁଦ୍ଧା ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

Leave a Reply