ବାଲେଶ୍ୱର ଓ ଭଦ୍ରକ ସହରରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ
1 min read
ବାଲେଶ୍ୱର/ଭଦ୍ରକ: ବାଲେଶ୍ୱର ସହରରେ ଚାଲିଥିବା ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ, ଜିଲ୍ଲାପାଳ କେ. ସୂଦର୍ଶନ ଚକ୍ରବର୍ତ୍ତୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉନ୍ନୟନ କାମ ସମ୍ପର୍କରେ ଅବଗତ କରାଇଥିଲେ । ସହରରେ ରାସ୍ତା, ଡ୍ରେନ୍, ଖୋଲା ଆକାଶ ଜିମ୍, ପିଇବା ପାଣି ପ୍ରଭୃତି ପ୍ରକଳ୍ପ ପାଇଁ ଆବଶ୍ୟକ ଥିବା ୧୩ କୋଟି ୫୦ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ଦାବି କରାଯାଇଛି । ଲୋକଙ୍କ ସମସ୍ୟା ସହିତ ଜଡ଼ିତ ରହି ତାର ସମାଧାନ ଦିଗରେ କାମ କରିବାକୁ 5T ସଚିବ ପରାମର୍ଶ ଦେଇଛନ୍ତି ।
ସେହିଭଳି ଭଦ୍ରକ ସହରର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ନୂତନ ପ୍ରକଳ୍ପ ବାବଦରେ ସମୀକ୍ଷା କରିଛନ୍ତି 5T ସଚିବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି । ଭଦ୍ରକ ସହରର ବିଭିନ୍ନ ୱାର୍ଡରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ଓ ବିଭିନ୍ନ ନୂତନ ପ୍ରକଳ୍ପ ବାବଦରେ ବିଧାୟକଙ୍କ ସହ ଆଲୋଚନା କରିଥିଲେ । ଉନ୍ନୟନ ମୂଳକ କାମ ପାଇଁ ୧୭ କୋଟି ଟଙ୍କାର ଅନୁଦାନ ଦେବା ପାଇଁ ଦାବି କରାଯାଇଛି ।