ସୁନ୍ଦରଗଡ଼ ଗସ୍ତରେ 5-T ସଚିବ: ସ୍କୁଲ ଉନ୍ନତିକରଣ ସମେତ ଅନ୍ୟ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି

1 min read

ରାଉରକେଲା: ସୁନ୍ଦରଗଡ଼ରେ 5-T ସଚିବ ଭି. କେ ପାଣ୍ଡିଆନ । ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5-T ସଚିବ । ସୁନ୍ଦରଗଡ଼ରେ ପହଞ୍ଚିବା ପରେ କୁଣ୍ଡୁକେଲାରେ ଥିବା ଗ୍ରୀଡ ସବଷ୍ଟେସନ ପରିଦର୍ଶନ କରିଛନ୍ତି । ପରେ ବାଙ୍କିବାହାଲରୁ ଭେଡାବାହାଲ କୋଲ କରିଡର ପ୍ରକଳ୍ପର ସମୀକ୍ଷା କରିଛନ୍ତି 5-T ସଚିବ ଭି.କେ ପାଣ୍ଡିଆନ । ସେହିପରି ଭବାନୀପୁର ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହାପରେ କିଞ୍ଜିରିମା ହାଇସ୍କୁଲରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ । ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାର ୫୦ଟି ସରକାରୀ ହାଇସ୍କୁଲର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶର ଉନ୍ନତି କରାଯାଉଛି ।

ସ୍କୁଲର ପରିବେଶକୁ ସୁନ୍ଦର ଓ ଆକର୍ଷଣୀୟ କରାଯାଉଛି । ଏହାସହ ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ କରାଯିବା ସହ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଉଛି । ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲଗୁଡ଼ିକର ଉନ୍ନତିକରଣ ସହ ସ୍କୁଲ ପରିବେଶକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ 5-T ଓ ‘ମୋ ସରକାର’ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ହାଇସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାପରେ ଶଙ୍କରାରେ ଏନଟିପିସି ମେଡିକାଲ କଲେଜ ଓ ହସ୍ପିଟାଲ ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଫେବ୍ରୁଆରୀ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ସ୍ଥାପନ କରିଥିଲେ । ଏ ସମସ୍ତ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା ମଧ୍ୟ କରିଛନ୍ତି 5-T ସଚିବ । ରାଉରକେଲା ସହରର ପାନୀୟ ଜଳ ସମସ୍ୟାର ସମାଧାନ କରିବା ସହ ବୃହତ୍ତ ଜଳସେଚନ ପ୍ରକଳ୍ପ ହମିରପୁର କୋଏଲ ବ୍ୟାରେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । 5-T ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର  ସଚିବ ଭିନିଲ କ୍ରିଷ୍ଣା, ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଗସ୍ତରେ ସାମିଲ ଅଛନ୍ତି ।

Leave a Reply