ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ଯୁବକଙ୍କୁ ସହାୟତା ଯୋଗାଇଲେ 5T ସଚିବ

1 min read

ଗଞ୍ଜାମ: ପୁଣି ସଙ୍କଟମୋଚନ ସାଜିଲେ 5T ସଚିବ ଭିକେ ପାଣ୍ଡିଆନ୍‌ । ଗଞ୍ଜାମ ଜିଲ୍ଲା ଖୋଲିକୋଟ ବ୍ଲକର ସାମଲନାସି ଅଞ୍ଚଳର ରତ୍ନାକର ଜାଲି ନାମକ ଜଣେ ବ୍ୟକ୍ତି ଖୋର୍ଦ୍ଧାରୁ ଭୁବନେଶ୍ୱର ଟ୍ରେନ୍ ଯୋଗେ ଯାଉଥିଲେ । ସେ ଓହ୍ଲାଇବା ବେଳେ ପଡ଼ିଯିବା ସହ ଟ୍ରେନରେ ହାତ କଟି ଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରିଥିଲେ । ସେଠାରେ ଆଇସିୟୁ ବେଡର ଅଭାବ ଥିଲା । ରତ୍ନାକରଙ୍କ ପାଖରେ ଅର୍ଥର ଅଭାବ ଥିଲା, ଏ ସମୟରେ ଏମ୍ସ ଡାକ୍ତର କହିଲେ ଯେ ତାଙ୍କୁ ତୁରନ୍ତ ଅନ୍ୟ ହସ୍ପିଟାଲକୁ ନେଇଯାଅ । ତୁରନ୍ତ ଆଇସିୟୁରେ ଭର୍ତ୍ତି ନକଲେ ବଂଚିବା ଅସମ୍ଭବ । ଏ ବିଷୟରେ ଶୁଣିବା ପରେ ତାଙ୍କ ପରିବାର ଲୋକ ଚିନ୍ତାରେ ଥିଲେ ।

ଏହି ସମୟରେ ବ୍ରହ୍ମପୁରର ସମାଜସେବୀ ପ୍ରବୀର ପଣ୍ଡା ନାମକ ଏକ ଯୁବକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ କରି ଏ ବିଷୟରେ ଜଣାଇଥିଲେ । ଖବର 5T ସଚିବ ଭିକେ ପାଣ୍ଡିଆନଙ୍କ ପାଖରେ ପହଞ୍ଚିଥିଲା । ଏହାପରେ ରତ୍ନାକରଙ୍କୁ ବିଏସକେଓ୍ବାଇ ମାଧ୍ୟମରେ ଚିକିତ୍ସା କରିବା ପାଇଁ ସମ୍‌ ହସ୍ପିଟାଲରେ ବ୍ୟବସ୍ଥା କରିବାକୁ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିଲା । ଅପରେସନ ପରେ ଏବେ ରତ୍ନାକର ସୁସ୍ଥ ଅଛନ୍ତି । 5T ସଚିବଙ୍କ ଏଭଳି ତ୍ୱରିତ ପଦକ୍ଷେପ ପାଇ ଏକ ଅସହାୟର ଜୀବନ ରକ୍ଷା ହେଇପାରିଲା । ବିଭିନ୍ନ ମହଲରୁ 5T ସଚିବଙ୍କୁ ପ୍ରଶଂସାର ସୁଅ ଛୁଟୁଛି ।