ବୃନ୍ଦାବାହାଲରେ 5T ସଚିବ ଭିକେ ପାଣ୍ଡିଆନ, ଖୁବଶୀଘ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

1 min read

କଳାହାଣ୍ଡି: ବିକାଶ ରାସ୍ତାରେ କଳାହାଣ୍ଡି ଗୋଲାମୁଣ୍ଡାର ବିକାଶ ଗାଡ଼ି । ଖୁବଶୀଘ୍ର ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ଓ ପାନୀୟ ଜଳ ସମସ୍ୟାର ହେବ ସମାଧାନ । ବୃନ୍ଦାବାହାଲରେ ପହଞ୍ଚି ଏପରି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ହଜାର ହଜାର ମିଶନ ଶକ୍ତି ମହିଳା ଓ ସାଧାରଣ ଲୋକ ପହଞ୍ଚି ଫୁଲ ପକାଇ ସ୍ବାଗତ କରିଥିଲେ । ଲୋକଙ୍କ ସହ ସିଧାସଳଖ କଥା ହେବା ସହ ସେମାନଙ୍କ ଦାବି ପତ୍ର ସବୁ ନିଜେ ସେମାନଙ୍କଠାରୁ ଗ୍ରହଣ କରିଥିଲେ ଭିକେ ପାଣ୍ଡିଆନ । ଜଳସେଚନ ପାଇଁ ଦରଖାସ୍ତ ଖୁବଶୀଘ୍ର ଅନୁମୋଦନ ପାଇବ । ଆଡ଼ିବନ୍ଧ ପୁନରୁଦ୍ଧାର ହେବ । ଇନ୍ଦ୍ରାବତୀ ବାମ କେନାଲରେ ପାଣି ପହଞ୍ଚିବାରେ ଅସୁବିଧା ହେଉଛି, ତା’ର ଶୀଘ୍ର ସମାଧାନ କରାଯିବ । ଯେକୌଣସି ଟେକନିକାଲ ସମସ୍ୟା ରହିଛି ତା’ର ଖୁବଶୀଘ୍ର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ।

ସେହିପରି ପିଇବା ପାଣି ସମସ୍ୟା ବି ଶୀଘ୍ର ସମାଧାନ ହେବ । ବିଜୁସେତୁ ଯୋଜନାରେ ଖୁବଶୀଘ୍ର ପୋଲ ହେବ, ରାସ୍ତା ଦୂରାବସ୍ଥା ବି ସୁଧୁରିବ । କେବଳ ସେତିକି ନୁହେଁ, ଗୋଲାମୁଣ୍ଡାର ଯେଉଁ ହାଇସ୍କୁଲ ଓ କଲେଜ 5T ରୂପାନ୍ତରିତ ହୋଇନି ଖୁବଶୀଘ୍ର ହେବ । ଏହାଦ୍ବାରା ସ୍ମାର୍ଟ କ୍ଲାସରୁମ୍ ,  ଲାଇବ୍ରେରୀ, ଲାବରେଟୋରୀ ପାଇବେ ଛାତ୍ରଛାତ୍ରୀ ।ପିଲାଙ୍କ ସ୍ବପ୍ନ ପୂରଣ କରିବା ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା । ଡିସେମ୍ବର ସୁଦ୍ଧା ହାଇସ୍କୁଲ ସବୁ ରୂପାନ୍ତିରକରଣ ହେବ । ଡିସେମ୍ବରରେ ରୂପାନ୍ତରିତ ହାଇସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ଜାନୁଆରୀରେ ପିଲା ନୂଆ କ୍ଲାସରୁମରେ ପଢ଼ିବେ ବୋଲି କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।