ଆଜିଠାରୁ ଦୁଇ ଦିନିଆ କନ୍ଧମାଳ ଗସ୍ତରେ 5T ସଚିବ

1 min read

କନ୍ଧମାଳ : କେତେ ଆଗେଇଛି କନ୍ଧମାଳ ଜିଲ୍ଲାର ବିକାଶ । କେଉଁଥିରେ ହୋଇଛି ଉନ୍ନତି, କ’ଣ କ’ଣ ରହିଛି ବାକି । ଆଜିଠାରୁ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଯାଇ ସମୀକ୍ଷା କରିବେ 5T ସଚିବ ଭି.କେ ପାଣ୍ଡିଆନ । ଅପରାହ୍ନ ୪ଟାରେ ଗୁଦାରିରରେ ପହଞ୍ଚିବା ପରେ ସେଠାରୁ ବଲସକୁମ୍ପା ଯାଇ ବରାଳଦେବୀ ମନ୍ଦିର ପରିଦର୍ଶନ କରିବେ ।

ଫୁଲବାଣୀସ୍ଥିତ କନ୍ଧମାଳ ଷ୍ଟାଡିୟମରେ ପ୍ରସ୍ତାବିତ ସ୍ପୋର୍ଟସ କମ୍ପେ୍ଲ ନେଇ ବିଚାର ଆଲୋଚନା କରିବା ସହିତ ନାଗରିକ ସମାଜ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଫୁଲବାଣୀ ନୂଆ ବସଷ୍ଟାଣ୍ଡ ଯାଇ କାର୍ଯ୍ୟର ପ୍ରଗତି ଅନୁଧ୍ୟାନ କରିବେ । ସନ୍ଧ୍ୟାରେ କରୋନେସନ ପଡ଼ିଆଠାରେ ବ୍ୟାଙ୍କ ମିତ୍ର, ଏମବିକେ ଓ ମିଶନ ଶକ୍ତି ସଦସ୍ୟାମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପୋଲିସ ରିଜର୍ଭ ପଡ଼ିଆରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବେ ଫାଇଭ-ଟି ସଚିବ ।

ସେହିପରି ଆସନ୍ତାକାଲି ସକାଳେ ଉଦ୍ୟାନ କୃଷି କାର୍ଯ୍ୟାଳୟ ପରିସରରେ ଏସ୍ଏଚଡିଙ୍କ ଦ୍ବାରା ଚାଲିଥିବା ପ୍ରକ୍ରିୟାକରଣ ଉଦ୍ୟୋଗ ପରିଦର୍ଶନ ଓ ତିଲକପଡ଼ାଠାରେ ନିର୍ମାଣାଧୀନ ମେଡିକାଲ କଲେଜର ଅଗ୍ରଗତି ନେଇ ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି । ସେଠାରୁ ଫିରିଙ୍ଗିଆ ଯାଇ ଡିଣ୍ଡିରା ଗାଁ ଆଦର୍ଶ ବିଦ୍ୟାଳୟ, ଫିରିଙ୍ଗିଆ ମିଶନ ଶକ୍ତି କାଫେ, ମିନି ଷ୍ଟାଡିୟମ, ରତଙ୍ଗ ଉଚ୍ଚ ବିଦ୍ୟାଳୟ, ରତଙ୍ଗ ଆଦର୍ଶ ପୋଖରୀ ଏବଂ ବନ୍ଧଗଡ଼ କସମ କାର୍ଯ୍ୟାଳୟ ପରିଦର୍ଶନ କରିବେ ।

ଏହାପରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ କେ.ନୂଆଗାଁ ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ଓ ମାହାସିଙ୍ଗ ପଥପ୍ରାନ୍ତ ସୁବିଧା କେନ୍ଦ୍ର ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ବାଲିଗୁଡାରେ ପାଟ୍ଟଖଣ୍ଡା ମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିବେ ।

ବାଲିଗୁଡ଼ା ଆମ ଡାକ୍ତରଖାନା ଓ ମିନି ଷ୍ଟାଡିୟମ ପରିଦର୍ଶନ କରି ସେଠାରୁ ଦାରିଙ୍ଗବାଡ଼ି ଅଭିମୁଖେ ଗସ୍ତ କରିବେ ଫାଇଭ-ଟି ସଚିବ । ଦାରିଙ୍ଗବାଡ଼ିର ହିଲ୍‌ ଭିୟୁ ପାର୍କ, ଇକୋ କଟେଜ୍ ଓ ମିନି ଷ୍ଟାଡିୟମ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଜି.ଉଦୟଗିରି ଯାଇ କଳିଙ୍ଗ ମହାବିଦ୍ୟାଳୟରେ ବିଭିନ୍ନ ଏସ୍ଏଜି, ନାଗରିକ କମିଟି ଓ ସାମାଜିକ ସଙ୍ଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ।