ସୋନାଲି ଦେଖିବେ ନୂଆ ସକାଳ, ସହାୟତାର ହାତ ବଢାଇଲେ 5T ସଚିବ

1 min read

ମାଲକାନଗିରି: ଦିବ୍ୟାଙ୍ଗ ଝିଅକୁ ମିଳିଲା ଦମ୍ଭ । 5T ସଚିବଙ୍କ ସହଯୋଗ ସାକାର କରିବ ସୋନାଲିଙ୍କର ସ୍ବପ୍ନ । ମାଲକାନଗିରି ଜିଲ୍ଲା କାଲିମେଳାର ସୋନାଲି ମାଡ଼କାମି ଦେଖିବେ ନୂଆ ସକାଳ । ଏଥିପାଇଁ ସହାୟତାର ହାତ ବଢାଇଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । କାଙ୍ଗୁରୁକୁଣ୍ଡା କେ.ଜି.ବି.ଭି ବିଦ୍ୟାଳୟରୁ ଚଳିତବର୍ଷ ଦଶମ ଶ୍ରେଣୀରେ ୨୭୬ ନମ୍ବର ରଖି ପାସ୍ କରିଛନ୍ତି ସୋନାଲି ।

ଆଗକୁ ପଢିବାକୁ ଚାହୁଁଥିବାବେଳେ ପରିବାରର ଆର୍ଥିକ ଅନଟନ ଆଗକୁ ଯିବାକୁ ବାଟ ଓଗାଳିଥିଲା । ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଦ୍ବିତୀୟ ଥର ତାଙ୍କ ଗୋଡ଼ର ଅପରେସନ ମଧ୍ୟ ହୋଇପାରିନି । ଗୋଡ଼ର ଅପରେସନ ହୋଇଗଲେ ସହଜରେ ଚାଲିପାରନ୍ତେ ସୋନାଲି । ଏନେଇ 5T ସଚିବ ଜାଣିବା ପରେ ତୁରନ୍ତ ପଦକ୍ଷେପ ନେବାକୁ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହାର 10 ମିନିଟ ମଧ୍ୟରେ ଜିଲ୍ଲାପ୍ରଶାସନ ସୋନାଲିଙ୍କ ପାଖରେ ପହଞ୍ଚି ଆଲୋଚନା କରିଥିଲା । ଡାକ୍ତରଖାନାକୁ ଆଣି ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଆଗକୁ ଉନ୍ନତ ଚିକିତ୍ସା ସହିତ ମାଗଣାରେ ଉଚ୍ଚଶିକ୍ଷା ନିମନ୍ତେ ଭିନ୍ନକ୍ଷମ ବୃତ୍ତି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି ପ୍ରଶାସନ ।