ଗରିବ ଆଦିବାସୀ ଛାତ୍ରୀଙ୍କ ଦୁଃଖ ଶୁଣିଲେ 5T ସଚିବ, ଟ୍ୱିଟ୍ ଦେଖି ଅନାଥ ଶିଶୁକୁ ବଢ଼ାଇଲେ ସହଯୋଗର ହାତ

1 min read

ମାଲକାନଗିରି: ଗରିବ ଆଦିବାସୀ ଛାତ୍ରୀଙ୍କ ଦୁଃଖ ଶୁଣିଲେ 5T ସଚିବ ଭି.କେ. ପାଣ୍ଡିଆନ । ଟୁଇଟ ଦେଖି ଅନାଥ ଶିଶୁକୁ ବଢାଇଲେ ସହଯୋଗର ହାତ । ଏଣିକି ବାପାମାଆ ଛେଉଣ୍ଡ କୁନି ଝିଅ ରଞ୍ଜୁ ପଢ଼ିବ ପାଠ । ରଞ୍ଜୁ ଜାନିଙ୍କୁ 5T ସଚିବ ପଠାଇଲେ ଉପହାର । ମାଲକାନଗିରି ଜିଲ୍ଲା ବମ୍ବେ କୋଲନୀର ରଞ୍ଜୁ ଜାନି । ବାପା ମାଆଙ୍କୁ ହରାଇବା ପରେ ସମ୍ପର୍କୀୟ ଦାଦାଙ୍କ ପାଖରେ ରହୁଥିଲେ । ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ଅଭାବ ତାଙ୍କ ସ୍ବପ୍ନର ରାସ୍ତାରେ ପ୍ରତିବନ୍ଧକ ସାଜିଥିଲା । ଜଣେ ବ୍ୟକ୍ତିଙ୍କ ଟ୍ବିଟରରୁ ଏସମ୍ପର୍କରେ ଜାଣିବା ପରେ ତତ୍ପରତା ଦେଖାଇଥିଲେ 5T ସଚିବ । ଉପହାରରେ ରଞ୍ଜୁଙ୍କୁ ପୋଷାକ ଓ ଖାତାବହି ପଠାଇଥିଲେ । ଏହାସହିତ ମାଲକାନଗିରି ଜିଲ୍ଲାପାଳ ଓ ଏସଟିଏସି ବିଭାଗର ସଚିବ ରୂପା ରୋଶନ ସାହୁଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

5T ସଚିବଙ୍କ ନିର୍ଦ୍ଦେଶର କିଛି ସମୟ ମଧ୍ୟରେ ରଞ୍ଜୁଙ୍କ ପାଖରେ ପହଞ୍ଚିଥିଲା ଜିଲ୍ଲା ପ୍ରଶାସନ । ରଞ୍ଜୁଙ୍କୁ ଥଇଥାନ ଓ ତାଙ୍କର ପରବର୍ତ୍ତୀ ଉଚ୍ଚ ଶିକ୍ଷାର ଦାୟିତ୍ୱ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ପରିବାର ସହିତ ଆଲୋଚନା ପରେ ଉଦ୍ଧାର କରି ଏବେ ପରିବର୍ତ୍ତନ ଶିଶୁଗୃହରେ ରଖାଯାଇଛି । ସ୍କୁଲ ଖୋଲିବା ପରେ SCST ହଷ୍ଟେଲରେ ରଖାଯାଇ ପାଠ ପଢାଯିବ । ସେପଟେ ସ୍ବପ୍ନକୁ ପୂରଣ କରିବାକୁ ସହାୟତାର ହାତ ବଢାଇଥିବାରୁ 5T ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ରଞ୍ଜୁ । ଭବିଷ୍ୟତରେ ଜଣେ ପୋଲିସ ଅଫିସର ହୋଇ ସେବା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।