ବଦଳିବ ବୁଢ଼ୀ ଠାକୁରାଣୀ ମନ୍ଦିର ରୂପ: ୧୫ ଦିନରେ ମାଷ୍ଟର ପ୍ଲାନ ଦେବାକୁ 5T ସଚିବଙ୍କ ପରାମର୍ଶ

1 min read

ଭୁବନେଶ୍ବର: ରୂପାନ୍ତରିତ ହେବ ମାଆ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର । ନୂଆ ରୂପରେ ଝଟକିବ ମନ୍ଦିର । ଏଥିପାଇଁ ମାଷ୍ଟାର ପ୍ଲାନ ପ୍ରସ୍ତୁତ କରି ୧୫ ଦିନ ମଧ୍ୟରେ ଦେବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି 5T ସଚିବ ବ୍ରହ୍ମପୁର ଗସ୍ତରେ ଯାଇ ମାଆ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିଥିଲେ । ବ୍ରହ୍ମପୁରରେ ପହଞ୍ଚିବା ପରେ ପ୍ରଥମେ ମାଆଙ୍କ ଯାତ୍ରା ସ୍ଥଳକୁ ଯାଇ ଅସ୍ଥାୟୀ ମନ୍ଦିରରେ ମାଆଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ । ଏହାପରେ ସ୍ଥାୟୀ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିବା ସହ ଦୀପ ଜାଳି ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଥିଲେ । ପରେ ମନ୍ଦିର ପରିଦର୍ଶନ କରିବା ସହ ଏହାର ବିକାଶ ସମ୍ପର୍କରେ ମନ୍ଦିର କମିଟି ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ।

ବୁଢ଼ୀ ଠାକୁରାଣୀ ମନ୍ଦିର ଏକ ପ୍ରାଚୀନ ମନ୍ଦିର । ପ୍ରତିଦିନ ଏଠାକୁ ଶହ ଶହ ଭକ୍ତ ଆସିଥାନ୍ତି । ତେଣୁ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେଠାରେ ଉପଯୁକ୍ତ ଭିତ୍ତିଭୂମିର ବିକାଶ କରିବାକୁ ସ୍ଥିର କରାଯାଇଥିଲା । ଏନେଇ ୧୫ ଦିନ ମଧ୍ୟରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ 5T ସଚିବ ପରାମର୍ଶ ଦେଇଥିଲେ ।

ଆଲୋଚନାରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସଭ୍ୟ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ଭାଗ ନେଇଥିଲେ ।