ଗଜପତିରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ, ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପର କରିବେ ସମୀକ୍ଷା

1 min read

ଗଜପତି: ଗଜପତି ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ । କେତେବାଟ ଆଗେଇଛି ଗଜପତି ଜିଲ୍ଲା ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ । ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ଓ 5T ସଚିବ । ନିର୍ମାଣସ୍ଥଳକୁ ଯାଇ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ୨୦୦୫-୦୬ ମସିହାରୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହା ସମ୍ପୂର୍ଣ୍ଣ ହେଲେ ଗଜପତି ସମେତ ଗଞ୍ଜାମ ଜିଲ୍ଲାର ୬ ହଜାରରୁ ଅଧିକ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ । ଗଜପତି ଜିଲ୍ଲାର ୫୦୦ ଓ ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଜମି ଜଳସେଚିତ ହେବ । ଏହାଛଡ଼ା ପାନୀୟ ଜଳ ସମସ୍ୟା ମଧ୍ୟ ଦୂର ହେବ ।

ଏହି ପ୍ରକଳ୍ପରୁ ୩୬ ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ । ଜଳ ନିଷ୍କାସନ ପାଇଁ ପାହାଡ଼ ମଝିରେ ଏକ ସୁଡ଼ଙ୍ଗ ନିର୍ମାଣ ହେଉଛି  । ଯାହାର ଲମ୍ବ ରହିଛି ୧୨୮୦ ମିଟର । ପ୍ରାଥମିକ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ ୬୬ କୋଟି ବ୍ୟୟବରାଦ ହୋଇଥିବାବେଳେ ଏବେ ତାହା ୭୦୮ କୋଟିରେ ପହଞ୍ଚିଛି । ପ୍ରକଳ୍ପ ପାଇଁ ବିସ୍ଥାପନ କାର୍ଯ୍ୟ ମଧ୍ୟ ଜାରି ରହିଛି । କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ନିୟମ ଅନୁସାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି  । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଥଇଥାନ ପାଇଁ ଜମି ଚିହ୍ନଟ ସହ ବାସଗୃହ ନିର୍ମାଣ ସରିଛି l କିଛି ପରିବାରଙ୍କ ଥଇଥାନ ପ୍ରକ୍ରିୟା ମଧ୍ୟ ସରିଛି  ।

୨୦୨୪ ସୁଦ୍ଧା ଏହାର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଣୁ ଆଜି ପ୍ରକଳ୍ପ ସ୍ଥଳରୁ ଯାଇ ଅଧିକାରୀଙ୍କ ସହିତ ନିର୍ମାଣ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବେ ମୁଖ୍ୟ ଶାସନ ସଚିବ ଓ 5T ସଚିବ । ପରେ ସେଠାରୁ ଗଞ୍ଜାମ ଜିଲ୍ଲାର ଘଟକେଶ୍ବର ଜଳସେଚନ ପ୍ରକଳ୍ପ ସ୍ଥଳୀକୁ ଯାଇ ନିର୍ମାଣ ଅଗ୍ରଗତୀ ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।