ଓଡ଼ିଶା ଉତ୍ସବରେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଲେ 5T ସଚିବ….ବଖାଣିଲେ ନବୀନଙ୍କ ଉଦାରତାର କାହାଣୀ

1 min read

ଦୁବାଇ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେମିତି । ଦୁବାଇରେ ଆୟୋଜିତ ଓଡ଼ିଶା ଉତ୍ସବରେ ନବୀନଙ୍କ ସମ୍ପର୍କରେ ବଖାଣିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଓଡ଼ିଶାବାସୀଙ୍କ ଟଙ୍କା ସେମାନଙ୍କ ଉନ୍ନତିରେ ଲାଗିବା ଦରକାର । ଓଡ଼ିଶାବାସୀଙ୍କ ଅର୍ଥ ସେମାନଙ୍କର ଉନ୍ନତି ପାଇଁ, ବିଳାସ କରିବା ପାଇଁ ନୁହେଁ । ନବୀନଙ୍କ ମାରୁତୀ ଏସଟିମ୍ କାରର କାହାଣୀ କହି ତାଙ୍କ ଚିନ୍ତାଧାରାକୁ ବଖାଣିଛନ୍ତି ଫାଇଭ-ଟି ସଚିବ । ଉତ୍ସବରେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଫାଇଭ-ଟି ସଚିବ ସ୍ବର୍ଗଦ୍ବାର ଓ ଶ୍ରୀକ୍ଷେତ୍ର ରୂପାନ୍ତରଣ ପଛର ପୂରା କାହାଣୀକୁ ବଖାଣିଛନ୍ତି ।

ସ୍ବର୍ଗଦ୍ବାରରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ଉଚ୍ଛେଦ ପାଇଁ ନିଜେ କହିଥିଲେ ମୁଖ୍ୟମନ୍ତ୍ରୀ । ନବୀନ କହିଥିଲେ ବିଜୁ ପଟ୍ଟନାୟକ ମାଟି କି ପଥରରେ ନୁହେଁ ଓଡ଼ିଶାବାସୀଙ୍କ ହୃଦୟରେ ଅଛନ୍ତି । ଏଣୁ ତାଙ୍କ ପାଇଁ ସମାଧିର କୌଣସି ଆବଶ୍ୟକତା ନାହିଁ । ମୁଖ୍ୟମନ୍ତ୍ରୀ ପ୍ରକୃତରେ କ’ଣ, ଆପଣଙ୍କ ପରବର୍ତ୍ତୀ ପିଢି ଅନୁଭବ କରିବେ । ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରହିଛି ଅନେକ ତ୍ୟାଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠା, ଆନ୍ତରିକତା କେବଳ ଓଡ଼ିଶାବାସୀଙ୍କ ପାଇଁ । ପାଣ୍ଡିଆନ କହିଛନ୍ତି ୨୨ବର୍ଷ ଧରି ମୁଖ୍ୟମନ୍ତ୍ରୀ, କୌଣସି ସଭାକୁ ବିଳମ୍ବରେ ଯାଇନାହାନ୍ତି ।

ମୁଖ୍ୟମନ୍ତ୍ରୀ ଜଣେ ଚର୍ଚ୍ଚିତ ଲେଖକ । ସେ ୩ଟି ପୁସ୍ତକ ଚରନା କରିଛନ୍ତି । ଜାକଲିନ କେନେଡି ମୁଖ୍ୟମନ୍ତ୍ରୀଙ୍କ ପୁସ୍ତକର ସମ୍ପାଦନା କରିଛନ୍ତି । ଟଙ୍କିଟିଆ ଚାଉଳ ଓ ବିଏସକେଓ୍ବାଇର ପ୍ରଚଳନର ଉଦ୍ଦେଶ୍ୟ ବୁଝାଇବାକୁ ଯାଇ ଫାଇଭ-ଟି ସଚିବ କହିଛନ୍ତି । ଆମ ଦେଶରେ ରହିଛି ସାମାଜିକ ପ୍ରତିବଦ୍ଧତା । ରାଜ୍ୟର ୯୦ଲକ୍ଷ ପରିବାରଙ୍କୁ BSKY କାର୍ଡ ପ୍ରଦାନ କରାଯାଇଛି । ଯଦି ଗରିବଙ୍କ କଥା ସରକାର ବୁଝିବେ ନାହିଁ ତ କିଏ ବୁଝିବ । ସରକାର ସହଯୋଗ ନକଲେ ଗରିବଙ୍କୁ ଶୋଷଣ କରିବେ ବିତ୍ତଶାଳୀ । ଗରିବଙ୍କୁ ରୋଜଗାରକ୍ଷମ କରିବାକୁ ଓଡ଼ିଶା ସରକାରଙ୍କ ପ୍ରୟାସ ।

ଗରିବ ଆତ୍ମନିର୍ଭରଶୀଳ ହେଲେ ଓଡ଼ିଶା ଆଗକୁ ମାଡି ଚାଲିବ । ଏହି ଅବସରରେ ଫାଇଭ-ଟି ସଚିବ କହିଛନ୍ତି ପ୍ରତିବର୍ଷ ଓଡ଼ିଶା ଦିବସ ଦୁବାଇରେ ପାଳନ କରିଯିବ । କେବଳ ଦୁବାଇ ନୁହେଁ ବିଶ୍ବର ୧୦ଟି ସ୍ଥାନରେ ଓଡ଼ିଶା ଦିବସ ପାଳନ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ଭୁବନେଶ୍ବରରୁ ଦୁବାଇକୁ ପ୍ରତିଦିନ ବିମାନ ଉଡାଣ ଭରିବାକୁ ପ୍ରୟାସ କରାଯାଉଛି । ବର୍ଷକ ମଧ୍ୟରେ ଦୁବାଇକୁ ପ୍ରତିଦିନ ଉଡାଣ ଭରିବ ବିମାନ । ଖୁବଶୀଘ୍ର ଭୁବନେଶ୍ୱରରୁ ଆବୁଧାବିକୁ ମଧ୍ୟ ବିମାନ ଉଡ଼ିବ ବୋଲି ପାଣ୍ଡିଆନ କହିଛନ୍ତି ।