ଦୁଇଦିନିଆ କଳାହାଣ୍ଡି ଗସ୍ତରେ 5T ସଚିବ ; ଗ୍ରାଉଣ୍ଡରେ ବିକାଶର ଅନୁଧ୍ୟାନ ସହ ଲୋକଙ୍କ ସମସ୍ୟା ପଚାରି ବୁଝୁଛନ୍ତି

1 min read

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବିକାଶକୁ ରାଜ୍ୟ ସରକାରଙ୍କ ଫୋକସ୍‌ । ଜିଲ୍ଲାର ସାମଗ୍ରିକ ବିକାଶର ଅନୁଧ୍ୟାନ ପାଇଁ ଆଜିଠୁ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ଗ୍ରାଉଣ୍ଡରେ ବିକାଶର ଅନୁଧ୍ୟାନ କରିବା ସହ ଲୋକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରୁଛନ୍ତି । ବେଲଖଣ୍ଡି ଶିବ ମନ୍ଦିର ଯାଇ ଦର୍ଶନ କରିବା ପରେ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ପୂଜକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ପରେ ଆମ ହସପିଟାଲରେ ଅଧୀନରେ ରୂପାନ୍ତରିତ ହେଉଥିବା ଏମ. ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଅନୁଧ୍ୟାନ କରିଛନ୍ତି । ଏହାପରେ ସାନ୍ଦୁଲ ଜଳସେଚନ ପ୍ରକଳ୍ପ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ । ଏହାପରେ ନର୍ଲା ମିନି ଷ୍ଟାଡିୟମ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା ଶୁଣିଛନ୍ତି ଫାଇଭ-ଟି ସଚିବ । ଲୋକଙ୍କ ସମସ୍ୟା ନେଇ ଆବେଦନ ପତ୍ର ଗ୍ରହଣ କରିବା ସହ ଖୁବଶୀଘ୍ର ଖୁସି ଖବର ପାଇବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଏହାପରେ ମିଶନଶକ୍ତି କ୍ୟାଫେ ଗସ୍ତ କରି ସେଠାରେ ମଧ୍ୟାହ୍ନ ଭୋଜନ କରିଛନ୍ତି । ଭବାନୀପାଟଣା ପୋଲିସ ହାଇସ୍କୁଲଠାରେ ସମସ୍ୟା ସମ୍ପର୍କରେ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି ଫାଇଭ-ଟି ସଚିବ । ସେଠାରୁ ଆଶା ସାଗର ଯାଇ ଅନୁଧ୍ୟାନ କରିବା ପରେ ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଓ ମାଆ ଲଙ୍କେଶ୍ବରୀ ମନ୍ଦିର ଯାଇ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଲଙ୍କେଶ୍ବରୀ ମନ୍ଦିରର ଉନ୍ନତିକରଣ ପାଇଁ ଅଢେଇ କୋଟି ଟଙ୍କା ଖର୍ଚ୍ଚହେବ ବୋଲି ଲୋକଙ୍କୁ କହିଛନ୍ତି । ଏହାପରେ ଭବାନୀପାଟଣା ସରକାରୀ ମେଡିକାଲ କଲେଜ ଓ ଟିଚିଂ ହସପିଟାଲ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।

ମେଡିକାଲ କଲେଜ ଅଡିଟୋରିୟମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପରେ ଓୟୁଏଟି କଲେଜ ଅଡିଟୋରିୟମରେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ପରେ ଭବାନୀପାଟଣା ଟାଉନହଲରେ ଏସଏଚଜିଙ୍କ ସହ ଆଲୋଚନା କରିବେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ସ୍ପୋର୍ଟ୍ସ ହଷ୍ଟେଲରେ ପିଲାଙ୍କ ସହିତ ଆଲୋଚନା କରିବା ସହ କିଛି ସମୟ ବିତାଇବେ । ଭଟ୍ଟାଙ୍ଗପଦର ଇକୋ ଟୁରିଜମ କପ୍ଲେକ୍ସରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ରାତ୍ର ରହଣି କାର୍ଯ୍ୟକ୍ରମ ରହିଛି ।