ଆଉ ୨ ବିଭାଗରେ କାର୍ଯ୍ୟକାରୀ ହେଲା 5T; ପ୍ରଥମ ଦିନରେ ବିଡିଓଙ୍କ ସମେତ ୩ ବିଦା

1 min read

ଭୁବନେଶ୍ୱର: 5Tରେ ସାମିଲ ହେଲା ଆଉ ୨ଟି ବିଭାଗ । ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମମତା ଯୋଜନାରେ ବି କାର୍ଯ୍ୟକାରୀ ହେବ 5T । ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହ ନଗର ଉନ୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସାମିଲ କରାଯାଇଛି । ଆଜି ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସାମିଲ ହେବା ମାତ୍ରେ, ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ ।5T ଯୋଗୁ ସରକାରୀ ବାବୁ ଛାନିଆ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସାମିଲ ହେବା କ୍ଷଣି ରାଡାରେ ବିଡିଓ ଓ ସରପଞ୍ଚ । କାର୍ଯ୍ୟାନୁଷ୍ଠାନରୁ କେହି ବର୍ତ୍ତି ନାହାନ୍ତି । ଦୁର୍ନୀତି ଅଭିଯୋଗରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଡିଓ ରବୀନ୍ଦ୍ର ଶତପଥୀ ନିଲମ୍ବିତ ହୋଇଛନ୍ତି । ସେହିପରି ଆର୍ଥିକ ଅନିୟମିତତା ଅଭିଯୋଗରେ ୨ ଜଣ ସରପଞ୍ଚଙ୍କୁ ବି ନିଲମ୍ବନ କରିଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ସେମାନେ ହେଲେ ସୋର ବ୍ଲକ କେଦାରପୁର ସରପଞ୍ଚ ଅଭିମନ୍ୟୁ ଜେନା ଓ ଦିଗପହଣ୍ଡି ବ୍ଲକ ଆଙ୍କରୋଡ଼ା ସରପଞ୍ଚ ଉଷାନ୍ତ ସାହୁ । ଏଣିକି ଫୋନ ଯୋଗେ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ପାନୀୟ ଜଳ ସମସ୍ୟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଠିକ୍‌ କାର୍ଯ୍ୟକାରିତା ନେଇ ଲୋକଙ୍କ ଫିଡବ୍ୟାକ ନେବେ ।ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମମତା ଯୋଜନା ବି ସାମିଲ ହୋଇଛି । ଗର୍ଭବତୀ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି କି ନାହିଁ, ପୁଷ୍ଟିକର ଖାଦ୍ୟ ମିଳୁଛି କି ନାହିଁ, ଏ ସବୁ ନେଇ ମାଆମାନଙ୍କ ସହ ଆଲୋଚନା କରିବ ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ଖୁବ୍‌ଶୀଘ୍ର ଏଥିରେ ମମତା ଯୋଜନା ବି ସାମିଲ ହେବ ।

5T ପ୍ରଥମେ ସ୍ୱରାଷ୍ଟ ଓ ସ୍ୱାସ୍ଥ୍ୟ ବିଭାଗରେ ଲାଗୁ ହୋଇଥିଲା । ଡିସେମ୍ବର ପହିଲାରୁ ଆଉ ୬ଟି ସରକାରୀ ବିଭାଗର କିଛି ଯୋଜନା ସାମିଲ ହେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗକୁ ଚିଠି ଲେଖାଯାଇଥିଲା । ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 5Tରେ ସମସ୍ତ ସରକାରୀ ବିଭାଗକୁ ସାମିଲ କରିବା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

Leave a Reply