5-T ସଂସ୍କାର ଆଣିଛି ବୈପ୍ଳବିକ ପରିବର୍ତ୍ତନ: ୪୧ହଜାର ୧୯୧କୋଟି ଟଙ୍କାର ରେକର୍ଡ ରାଜସ୍ୱ ସଂଗ୍ରହ

1 min read

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ 5-T ସଂସ୍କାର ଆଣିଛି ବୈପ୍ଲବିକ ପରିବର୍ତ୍ତନ । ଖଣି ରାଜସ୍ୱ ସଂଗ୍ରହରେ ଐତିହାସିକ ସଫଳତା ପାଇଛନ୍ତି ରାଜ୍ୟ ସରକାର । ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ୭ ତାରିଖ ସୁଦ୍ଧା ୪୧ ହଜାର ୧୯୧ କୋଟି ରାଜସ୍ୱ ସଂଗ୍ରହ କରି ରେକର୍ଡ କରିଛି ଖଣି ବିଭାଗ । ମାର୍ଚ୍ଚ ମାସ ବାକି ୨୦ ଦିନରେ ଏହି ରାଜସ୍ୱ ସଂଗ୍ରହ ୪୫ ହଜାର କୋଟି ଟପିବ ବୋଲି ଆକଳନ କରାଯାଇଛି । ମାତ୍ର ୨୨ଟି ଖଣି କାର୍ଯ୍ୟକ୍ଷମ ଥିବାରୁ ଏତିକି ଆଦାୟ ହୋଇଛି । ଆଗକୁ ଆଉ ୧୩ଟି ଖଣି ପାଇଁ ନିଲାମ ପ୍ରକ୍ରିୟା ଜାରି ଅଛି । ଆସନ୍ତାବର୍ଷରେ ଖଣି ବିଭାଗ ରାଜସ୍ୱ ସଂଗ୍ରହରେ ଆହୁରି ବଡ଼ ମାଇଲଷ୍ଟୋନ୍‌ ଠିଆ କରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଫାଇଭ-ଟି ଫର୍ମୁଲାରେ ଅଭୂତପୂର୍ବ ସଫଳତା । ଖଣି ବିଭାଗର ରେକର୍ଡ ରାଜସ୍ୱ ସଂଗ୍ରହ । ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ୩ ଗୁଣ ଅଧିକ ଖଣି ରାଜସ୍ବ ସଂଗ୍ରହ କରି ଐତିହାସିକ ସଫଳତା ହାସଲ କରିଛି ଖଣି ବିଭାଗ । ୨୦୨୨ ମାର୍ଚ୍ଚ ୭ ତାରିଖ ସୁଦ୍ଧା ଖଣି ରାଜସ୍ୱ ସଂଗ୍ରହ ହୋଇଛି ୪୧ ହଜାର ୧୯୧ କୋଟି ଟଙ୍କା । ରାଜ୍ୟର ୩୫ଟି ଖଣିରୁ ୨୨ଟି ଲୁହାପଥର ଓ ମାଙ୍ଗାନିଜ୍‌ ଖଣି କାର୍ଯ୍ୟକ୍ଷମ ହୋଇଛି । କାର୍ଯ୍ୟକ୍ଷମ ହୋଇଥିବା ଖଣିର ପ୍ରିମିୟମ୍‌ ଓ ସରକାରୀ ଉଦ୍ୟୋଗମାନଙ୍କ ଉପରେ ଅତିରିକ୍ତ ରୟାଲଟି ଆଦାୟରୁ ରାଜ୍ୟ ସରକାର ଏପରି ଉଲ୍ଲେଖନୀୟ ରାଜସ୍ୱ ପାଇବାରେ ସଫଳ ହୋଇଛନ୍ତି । ମାର୍ଚ୍ଚ ଶେଷସୁଦ୍ଧା ଖଣି ରାଜସ୍ୱ ସଂଗ୍ରହ ୪୫ ହଜାର କୋଟିରେ ପହଞ୍ଚିବ ବୋଲି ସରକାର ଆଶା ରଖିଛନ୍ତି ।

୨୦୧୯-୨୦ରେ ଖଣି ରାଜସ୍ୱ ଆଦାୟ ହୋଇଥିଲା ୧୧ ହଜାର କୋଟି । ୨୦୨୦-୨୧ରେ ୧୩ ହଜାର ୭୦୦ କୋଟି ସଂଗ୍ରହ ହୋଇଥିଲା । କୋଭିଡ ମହାମାରୀ ପରେ ଅନ୍ତରାଷ୍ଟ୍ରୀୟ ବଜାରରେ ଇସ୍ପାତର ଚାହିଦା ବୃଦ୍ଧି ପାଇଛି । ଏଥିପାଇଁ ଲୁହାପଥର ଖଣିରୁ ଉତ୍ତୋଳନ ପରିମାଣ ବି ବଢିଛି । ଖଣି କାରବାରରେ ସ୍ବଚ୍ଛତା ପାଇଁ ରାଜ୍ୟ ସରକାରଙ୍କ ପ୍ରାଶାସନିକ ସଂସ୍କାରକୁ ଏବେ ସବୁ ମହଲରେ ସ୍ବାଗତ କରାଯାଉଛି । ଆଗକୁ ଏହି ଧାରା ଜାରି ରହିଲେ ଖଣି ବିଭାଗ ତାର ପୂର୍ବ ରେକର୍ଡ ଭାଙ୍ଗିବ । ବାକି ରହିଥିବା ୧୩ଟି ଖଣି କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ଷ୍ଟାଚ୍ୟୁଟାରୀ କ୍ଲିଅରାନ୍‌ସ ମିଳିବା ବାକି ଅଛି । ମୋଟ ୩୫ଟି ଖଣି କାର୍ଯ୍ୟକ୍ଷମ ହେଲେ ଆସନ୍ତାବର୍ଷରେ ସରକାରଙ୍କ ଖଣି ରାଜସ୍ବ ସଂଗ୍ରହ ସବୁ ଅଙ୍କ ଟିପିଯିବ ।ଖଣିରୁ ରେକର୍ଡ ପରିମାଣର ଆୟ ସରକାରଙ୍କ ବଜେଟ୍‌ ପ୍ରସ୍ତୁତି କରିବାରେ ଯଥେଷ୍ଟ ସହାୟକ ହେବ । କାରଣ ଗରିବଙ୍କ ସ୍ବାସ୍ଥ୍ୟ ସୁବିଧା, ଖାଦ୍ୟ, ଚାଷୀ ଓ ମହିଳାଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ବଜେଟ୍‌ର ଆକାର ବୃଦ୍ଧି କରିଚାଲିଛନ୍ତି ।