spot_img

Latest Posts

କାଲିମେଳାରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ; କହିଲେ ଶାନ୍ତି ଆସିଲେ ବିକାଶ ହେବ

କାଲିମେଳା: ଓଡ଼ିଶାରେ ଡବଲ ଇଂଜିନ ନୁହେଁ, ନବୀନ ଇଂଜିନ କାମ କରୁଛି। ଛତିଶଗଡରେ କିଛି ବର୍ଷ ପୂର୍ବରୁ ଡବଲ ଇଂଜିନ ଥିଲା, ଗୋଟେ ଇଂଜିନ ଖରାପ ହୋଇଗଲା। ଏବେ ପୁଣି ଡବଲ ଇଂଜିନ ଆସିଛି । କିନ୍ତୁ ସେଠି ଗୁଳି ଫୁଟୁଛି । କାଲିମେଳାରେ ମଧ୍ୟ ପୂର୍ବରୁ ବୋମା ଓ ଗୁଳି ଫୁଟୁଥିଲା । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ସେଠାରେ ଶାନ୍ତି ଫେରିଛି। ଶାନ୍ତି ରହିଲେ ଉନ୍ନତି ହେବ ପ୍ରଗତି ହେବ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମାଲକାନଗିରିର କାଲିମେଳା ଗସ୍ତରେ ଯାଇ ଜନତାଙ୍କୁ ବିକାଶର ହିସାବ ଦେଇଛନ୍ତି 5T ଅଧ୍ୟକ୍ଷ।

ମାଲକାନଗିରିକୁ ପୁଂଜିନିବେଶ ଆସିବ, ଯୁବକଙ୍କ ପାଇଁ ରୋଜଗାର ସୁଯୋଗ ବଢିବ । ତେଣୁ ବିଜେଡିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶିର୍ବାଦ କରିବାକୁ ଅପିଲ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗତଥର ମାଲକାନଗିରି ଜିଲ୍ଲାରୁ ଜଣେ ବିଧାୟକ ପ୍ରାର୍ଥୀ ଜିତିଥିଲେ। ହେଲେ ଗତ ୫ ବର୍ଷ ହେଲା ତାଙ୍କର ଦେଖା ଦର୍ଶନ ମିଳୁନି । ସେ କେଉଁ ବିକାଶ ମୂଳକ କାମ କରିଛନ୍ତି? ସେ କେଉଁ ରାସ୍ତା କାମ କରିଛନ୍ତି ବୋଲି ପ୍ରଶ୍ନ କରିବା ସହ ଗତ ଦୁଇ ବର୍ଷ ମଧ୍ୟରେ ମାଲକାନିଗିରି ଜିଲ୍ଲାରେ ହୋଇଥିବା ବିକାଶମୂଳକ କାମର ସେ ହିସାବ ଦେଇଛନ୍ତି। ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଏତେ ଭଲ ପାଆନ୍ତି ଯେ, ସବୁ ବଡ ବଡ ଯୋଜନା ଏହି ଅଂଚଳରୁ ଆରମ୍ଭ ହୋଇଛି।

ବିଜେପି ଦଳ କହୁଛନ୍ତି ଯେ, ଚାଉଳ ସେମାନେ ଦେଉଛନ୍ତି। ହେଲେ ୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀ ପ୍ରଥମେ ମାଲକାନଗିରିରୁ ଦୁଇ ଟଙ୍କିଆ ଚାଉଳ ଯୋଜନା ଆରମ୍ଭ କରିଥିଲେ। ୨୦୧୮ରେ ଆରମ୍ଭ କଲେ ଟଙ୍କିକିଆ ଚାଉଳ ଯୋଜନା। ଆଉ ଏବେ ମାଗଣାରେ ଚାଉଳ ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବାଭିମାନ ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ମାଲକାନଗିରିରୁ ଆରମ୍ଭ ହୋଇଛି ଐତିହାସିକ ଲକ୍ଷ୍ମୀ ବସ ଯୋଜନା ।

ଗତ ବର୍ଷକ ମଧ୍ୟରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ନିର୍ବାଚନମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ପାଇଁ ୧୨୭ କୋଟି ଟଙ୍କା ମଂଜୁର କରିଛନ୍ତି । ମଲିକେଶ୍ବର ମନ୍ଦିରର ରୂପାନ୍ତରଣ ଓ ରାସ୍ତା ପାଇଁ ଦୁଇ କୋଟି ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ହରିଚନ୍ଦପୁର ଆଶ୍ରମ ପାଇଁ କୋଟିଏ ୨୮ ଲକ୍ଷ ଟଙ୍କା, ମା ଭୈରବୀ ମନ୍ଦିର ପାଇଁ ୫୦ ଲକ୍ଷ, ଅଲେଖ ମହିମା ପାଇଁ ୧୪ ଲକ୍ଷ, ସାଇ ମନ୍ଦିର ପାଇଁ ୪୦ ଲକ୍ଷ ଏବଂ ମସଜିଦ ଉନ୍ନତିକରଣ ପାଇଁ ୧୫ ଲକ୍ଷ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଦିବାସୀଙ୍କ ଭାଷା, କଳା ଏବଂ ସଂସ୍କୃତିର ସୁରକ୍ଷା ପାଇଁ ଏସଡିସି ଗଠନ ଠାରୁ ଆରମ୍ଭ କରି ଆଦିବାସୀଙ୍କ ଉପରେ ଥିବା ୫୦ ହଜାର ମାମଲା ପ୍ରତ୍ୟାହାର ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ।

Latest Posts

Don't Miss