ମୁଖ୍ୟମନ୍ତ୍ରୀ ମକା ମିଶନର ସମୀକ୍ଷା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

1 min read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମକା ମିଶନର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଛନ୍ତି ଫାଇଭ-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର, କୋରାପୁଟ, ଗଜପତି ଓ ନୂଆପଡା ଜିଲ୍ଲାରେ ମକା ମିଶନ କାର୍ଯ୍ୟକାରୀ କରାଯାଉଛି । ମିଶନ ଶକ୍ତି ମାଆମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମକା ମିଶନ କାର୍ଯ୍ୟକ୍ରମ ପାଇଁ ଆରମ୍ଭ ହୋଇଥିବା କ୍ଷେତ୍ର ପ୍ରଦର୍ଶନରେ ଉତ୍ସାହଜନକ ଅଛି ।

ଫସଲ ଉତ୍ପାଦନରେ ଶତକଡା ୫୧ ପ୍ରତିଶତ ବୃଦ୍ଧି ଘଟିଛି ।ନଭେମ୍ବର ଶେଷ ସୁଦ୍ଧା ୪୪ ହଜାର ୭୩୦ କୁଇଣ୍ଟାଲ ମକା ଏଫ.ପି.ଓ ଦ୍ବାରା ସଂଗ୍ରହ କରାଯାଇଛି । ମକା ଚାଷୀ ଯେପରି ଉଚିତ୍ ମୂଲ୍ୟ ପାଇପାରିବେ ସେଥିପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ୧୫ଟି ଏଫ.ପି.ଓ ଗଠନ କରାଯିବାକୁ ଥିବାବେଳେ ୧୩ଟି ଗଠନ ହୋଇସାରିଛି । କେବଳ ମହିଳାମାନଙ୍କୁ ନେଇ ୪ଟି ଏଫ.ପି.ଓ ଗଠନ କରାଯାଇଛି ।

ମିଶନର ପ୍ରଥମ ବର୍ଷରେ ୨୦ ହଜାର ମେଟ୍ରିକ ଟନ୍ ମକା ସଂଗ୍ରହ ଓ ମାର୍କେଟିଂ ଲକ୍ଷ୍ୟ ରଖାଯାଇଛି । ଚାଷୀଙ୍କୁ ଅଧିକ ମୂଲ୍ୟ ଦେବାକୁ ଅଧିକରୁ ଅଧିକ ଘରୋଇ ବ୍ୟବସାୟୀଙ୍କୁ ଏଥିରେ ସଂପୃକ୍ତ କରିବା ଏବଂ ଏଫ.ପି.ଓ ର ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଓରମାସ୍ ମଧ୍ୟ ମକାର ପ୍ରାଥମିକ ପ୍ରକ୍ରିୟାକରଣ ଓ ମାର୍କେଟିଂରେ ସହଯୋଗ କରିବ । ଅନ୍ୟପଟେ ଜନଅଭିଯୋଗ ଶୁଣାଣି ଭିତ୍ତିରେ ପାନ ଚାଷୀ, କିଆଫୁଲ ଚାଷୀ ଓ ଲେମନଗ୍ରାସ ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ କାର୍ତ୍ତିକ ପାଣ୍ଡିଆନ ସମୀକ୍ଷା କରିଛନ୍ତି ।

ଏହି ଚାଷୀଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପାନ ଚାଷୀଙ୍କ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ ସହ ଆପିକଲ୍ ଜରିଆରେ କିଆଫୁଲ ପ୍ରୋସେସିଂ ୟୁନିଟ୍ କରିବା ପାଇଁ ମଧ୍ୟ ଘୋଷଣା କରାଯାଇଥିଲା । କୋରାପୁଟରେ ଲେମନ୍ ଗ୍ରାସ୍ ଚାଷର ବିଶେଷ ଆଦର ରହିଥିବାରୁ ସେଠାରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ହର୍ଟିକଲଚର ମିଶନ ପ୍ଲସ ଅଧିନରେ ୮୪ ହଜାର ଟଙ୍କା ଏବଂ NHMରେ ୧୬ ହଜାର ଟଙ୍କା ଏହିପରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ନିଷ୍ପତି ହୋଇଥିଲା। ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସହାୟତାକୁ ଆସନ୍ତା ୨୬ ଜାନୁୟାରୀ ପୂର୍ବରୁ ଆରମ୍ଭ କରିବା ପାଇଁ ନିଷ୍ପତି ହୋଇଥିଲା ।