ଛାତ୍ରଛାତ୍ରୀଙ୍କୁ 5T ଅଧ୍ୟକ୍ଷଙ୍କ ଗୁରୁମନ୍ତ୍ର: ପାଠ ଯେତିକି ଆବଶ୍ୟକ, ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସେତିକି ଆବଶ୍ୟକ

1 min read

କେନ୍ଦୁଝର: କେନ୍ଦୁଝର ଗସ୍ତରେ ଯାଇ ଧରଣୀଧର ୟନିଭର୍ସିଟି ପଡିଆରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଜୀବନରେ ସଫଳତା ପାଇବାକୁ ହେଲେ କ’ଣ କରିବା ଦରକାର ସେ ନେଇ ଦେଲେ ଗୁରୁମନ୍ତ୍ର । ଏହାସହ ୟୁନିଭର୍ସିଟିରେ ଚାଲିଥିବା ଉନ୍ନୟନ କାମ ଦେଢ଼ ମାସ ମଧ୍ୟରେ ଶେଷ ହେବା ନେଇ ଦେଲେ ପ୍ରତିଶ୍ରୁତି ।

ପିଲାମାନଙ୍କ ସହ କଥା ହୋଇ 5T ଅଧ୍ୟକ୍ଷ କହିଥିଲେ, ‘ନିଜ ପ୍ରତିଭା ପରିପ୍ରକାଶ କରିବାର ଏକ ଭଲ ପ୍ଲାଟଫର୍ମ ହେଉଛି ନୂଆ-ଓ କାର୍ଯ୍ୟକ୍ରମ । କଲେଜ, ବ୍ଲକ ଓ ଜିଲ୍ଲା ସ୍ତରରେ ପ୍ରତିଯୋଗିତା ହେଉଛି । ଏହା ଆପଣମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଏଥିରେ ଅଂଶଗ୍ରହଣ କରିବା ଆପଣଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ଜିତିବା ଯେତିକି ବଡ଼ କଥା ନୁହେଁ ଅଂଶ ଗ୍ରହଣ କରିବା ତା’ଠାରୁ ଅଧିକ ବଡ଼ । କାରଣ, ଏହା ଆପଣଙ୍କ ପ୍ରତିଭାକୁ ଆହୁରି ଶାଣିତ କରିବ ।’

ଆଗକୁ ସେ କହିଥିଲେ, ‘ନୂଆ-ଓ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଏକ ବଡ଼ ପଦକ୍ଷେପ । ଏହା ଆପଣଙ୍କ ଭିତରେ ଥିବା ପ୍ରତିଭାକୁ ବିକଶିତ କରିବ । ଅଭିଷ୍ୟତରେ ଏହା ଆପଣଙ୍କୁ ଜଣେ ଜଣେ ଭଲ ମଣିଷ ହେବା ସହ ଜୀବନରେ ସଫଳତା ପାଇବାକୁ ବାଟ ଦେଖାଇବ । ଆଗକୁ ବଢ଼ିବାକୁ ହେଲେ ପାଠ ଯେତିକି ଆବଶ୍ୟକ, ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ବି ସେତିକି ଆବଶ୍ୟକ । ତେଣୁ ନୂଆ-ଓ କାର୍ଯ୍ୟକ୍ରମରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜ ପ୍ରତିବା ଦେଖାଇବାକୁ ମିଳୁଥିବା ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ ।’

ରୂପାନ୍ତରଣପୁ ନେଇ 5T ଅଧ୍ୟକ୍ଷ କହିଥିଲେ, ‘ହାଇସ୍କୁଲ ଓ କଲେଜର ରୂପାନ୍ତରଣ କରାଯାଉଛି । ଏହା ଆପଣମାନଙ୍କୁ ପାଠ ପଢ଼ିବାକୁ ଏକ ଭଲ ପରିବେଶ ଦେବ । ଯାହାଦ୍ବାରା ଆପଣମାନଙ୍କ ପାଠ ପଢ଼ା ପ୍ରତି ଆଗ୍ରହ ବଢ଼ିବ । ନିଜ ଅଞ୍ଚଳରେ ଥିବା କଲେଜରେ ସହର ଭଳି ସ୍ମାର୍ଟ କ୍ଲାରୁମ୍, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ ଭଳି ଅତ୍ୟାଧୁନିକ ସୁବିଧା ପାଇ ପାରିବେ । ଯାହା ଆପଣମାନଙ୍କୁ ଆଗକୁ ବଢ଼ିବାରେ ସହାୟକ ହେବ ।’

ଉଜ୍ଜଳ ଭବିଷ୍ଯତ ଲାଗି ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବାକୁ 5T ଅଧ୍ୟକ୍ଷ କହିଥିଲେ । କଠିନ ପରିଶ୍ରମ ହି ସଫଳତାର ମୂଳମନ୍ତ୍ର । କଠିନ ପରିଶ୍ରମ ଲାଗି ଛାତ୍ରଛାତ୍ରୀଙ୍କୁ ଶରୀର ଓ ମନକୁ ସୁସ୍ଥ ରଖିବାକୁ ପଡିବ । ଏଥିଲାଗି ଛାତ୍ରଛାତ୍ରୀ ଦିନକୁ ୩୦ ମିନିଟ ଶାରିରୀକ ପରିଶ୍ରମ ସହ ମନର ସୁସ୍ଥତା ଲାଗି ୧୫ ମିନିଟ ଧ୍ଯାନ କରିବାକୁ କହିଛନ୍ତି । ସୋସିଆଲ ମିଡିଆର ଉପକାର ଓ ଅପକାରିତା ଉପରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ 5T ଅଧ୍ୟକ୍ଷ । ସୋସିଆଲ ମିଡିଆରେ କମ ସମୟ ଅତିବାହିତ କରି ଛାତ୍ରଛାତ୍ରୀଙ୍କୁ ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ବାପାମାଆ ଓ ଗୁରୁଜନଙ୍କ ସମ୍ମାନ ସହ କଥା ମାନି ନିଜ ଲକ୍ଷ୍ଯ ପଥରେ ଆଗକୁ ଯିବାକୁ କହିଛନ୍ତି ।

ଆପଣଙ୍କ ଭବିଷ୍ଯତ ଆପଣଙ୍କ ହାତରେ ବୋଲି ଛାତ୍ରଛାତ୍ରୀଙ୍କୁ କହିଛନ୍ତି 5T ଅଧ୍ୟକ୍ଷ । ଏହି ଅବସରରେ କେନ୍ଦୁଝର ଜିଲ୍ଲାର କିଛି ସଫଳ ବ୍ଯକ୍ତିତ୍ବଙ୍କ ଉଦାହରଣ ଦେଇ ସେମାନେ ସରକାରୀ ହାଇସ୍କୁଲରେ ପାଠ ପଢି କିପରି ସଫଳତା ହାସଲ କରିଛନ୍ତି କହିଥିଲେ । ଏଠାକାର ହାଇସ୍କୁଲରୁ ପାଠ ପଢି ସୁରେଶ ମହାପାତ୍ର ଆଇଏସ ପାଇବା ସହ ରାଜ୍ଯ ମୁଖ୍ଯ ଶାସନ ସଚିବ ପଦ ସମ୍ଭାଳି ଥିଲେ । ଅଟଳ କ୍ରିଷ୍ଣା ଖଟୁଆ ମହାକାଶ ଗବେଷଣା ସଂସ୍ଥା ଇସ୍ରୋରେ ବୈଜ୍ଞାନିକ ହୋଇପାରିଛନ୍ତି । ସେହିଭଳି ସୁଭ୍ରାଂଶୁ ସେନାପତି ସଫଳ କ୍ରିକେଟର ଭାବେ ଆଇପିଏଲ ଖେଳି ଜିଲ୍ଲାର ନାଁ ଉଜ୍ଜଳ କରିଛନ୍ତି ବୋଲି କହିଥିଲେ 5T ଅଧ୍ୟକ୍ଷ ।