ଇଏ ବିଜେଡି ସରକାର ନୁହେଁ, ଆପଣମାନଙ୍କ ସରକାର: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

1 min read

ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ବିରୋଧୀଙ୍କୁ ଟାର୍ଗେଟ ନକରି ମାଷ୍ଟରଷ୍ଟ୍ରୋକ ଖେଳିଲେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଦୁଇ ଚାରିଟି ଶବ୍ଦରେ ଜିଣିନେଲେ ମୟୂରଭଞ୍ଜବାସୀଙ୍କ ମନ । କହିଲେ- ଏ ସରକାର ବିଜେଡି ସରକାର ନୁହେଁ, ଏହା ଆପଣମାନଙ୍କର ସରକାର, ଲୋକଙ୍କ ସରକାର । ଆପଣମାନେ ଯେତେବେଳେ ଯାହା ଚାହିଁବେ, ଏ ସରକାର ତାହା କରିବ । ସମଗ୍ର ଓଡିଶାବାସୀ ନବୀନଙ୍କ ପରିବାର, ବିଜୁ ପରିବାର ।

ବାରିପଦା ଛଉପଡିଆରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବା ବେଳେ କାର୍ତ୍ତିକ ପାଣ୍ଡିଆନ ଏଭଳି କିଛି କହିଥିଲେ, ଯାହା ଏବେ ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବିଜେଡି ପ୍ରତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅଧିକ ସୁଦୃଢ ହୋଇଛି । ନିଜ ଅଭିଭାଷଣରେ ନବୀନ ପଟ୍ଟନାୟକଙ୍କୁ ତୁଙ୍ଗ ଜନନାୟକ ବୋଲି କହିବା ସହ ଓଡିଶାବାସୀଙ୍କ ପାଇଁ ତାଙ୍କ ସମର୍ପଣର ବିଭିନ୍ନ ଉଦାହରଣ ଦେଇଥିଲେ ପାଣ୍ଡିଆନ୍ । ଜିଲ୍ଲାରେ ୫୬ ଜିଲ୍ଲା ପରିଷଦ ଆସନରୁ ୫୩ଟି ଜିତି ମ୍ୟାଜିକ କରିଛି ମୟୂରଭଞ୍ଜ । ଆଗାମୀ ଦିନରେ ଏକାଠି କାମ କଲେ ୫୬ରୁ ୫୬ ଭଳି ମ୍ୟାଜିକ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

୭୭ ବର୍ଷ ବୟସରେ ମଧ୍ୟ ଚଳଚଞ୍ଚଳ ମୁଖ୍ୟମନ୍ତ୍ରୀ ଲୋକ କଲ୍ୟାଣ ପାଇଁ ଅହରହ ପରିଶ୍ରମ କରୁଛନ୍ତି । ତାଙ୍କୁ ୨୪ ଘଣ୍ଟା ଦେଖି ଦେଖି ସେ ନିଜେ ପ୍ରେରଣା ପାଇଛନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଓଡିଶା କିଭଳି ନୂଆ ଓଡିଶା ଆଡକୁ ଅଗ୍ରସର ହେଉଛି ତା’ର ଗୋଟି ଗୋଟି ଉଦାହାରଣ ଦେବା ଛଳରେ ସେ ପରୋକ୍ଷରେ ବିକାଶ ବିରୋଧୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଏହା ଯଦି ରୂପାନ୍ତରଣ ନୁହେଁ, ଏହା ଯଦି ନୂଆ ଓଡିଶାର ଯାତ୍ରା ନୁହେଁ, ତାହା ହେଲେ ଆଉ କ’ଣ ?

ନିଜ ବକ୍ତବ୍ୟରେ ସେ ପ୍ରତି ପଞ୍ଚାୟତରୁ ବସ ଗଡିବା ପାଇଁ ହୋଇଥିବା ଲକ୍ଷ୍ମୀ ଯୋଜନାଠୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, 5T ଅଧୀନରେ ସ୍କୁଲ ଓ କଲେଜର ରୂପାନ୍ତରଣ ପ୍ରସଙ୍ଗ ଉତଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗରିବରୁ ଗରିବତମ ଲୋକଙ୍କୁ ଏଭଳି ସଶକ୍ତ କରିଛନ୍ତି ଯେ, ସେମାନେ ନିଜ ସନ୍ତାନଙ୍କୁ ଡାକ୍ତର, ଇଂଜିନିୟର ଭଳି ବଡ ବଡ ବୃତ୍ତିରେ ଦେଖିବା ସ୍ୱପ୍ନକୁ ସାକାର କରିପାରୁଛନ୍ତି । ମୁଖ୍ୟମନ୍ତ୍ରୀ ଆମ ବାପା ପରି, ଆମ ଗୁରୁ ପରି । ସେ ହେଉଛନ୍ତି ସମଗ୍ର ଓଡ଼ିଶାବାସୀଙ୍କ ପ୍ରେରଣା, ସାଢ଼େ ୪ କୋଟି ଲୋକଙ୍କ ପ୍ରେରଣା । ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି ପରିଶ୍ରମ କରିବାର କାରଣ ହେଉଛି ରାଜ୍ୟବାସୀଙ୍କ ମୁହଁରେ ହସ ଫୁଟାଇବା । ଏହା ତାଙ୍କର ଏକମାତ୍ର ଲକ୍ଷ୍ୟ । ରାଜ୍ୟବାସୀଙ୍କ ପାଇଁ କାମ କରିବା ସେ ନିଜର ଭାଗ୍ୟ ବୋଲି ମନେକରନ୍ତି । ଏହି ଏକମାତ୍ର ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରନ୍ତି । ସେ ବିଜୁ ପଟ୍ଟନାୟକଙ୍କ ପୁଅ । ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେଲେଣି । ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେଲେ ବି ଫରକ ପଡିବନି । କିନ୍ତୁ ତାଙ୍କର ଉଦ୍ଦେଶ୍ୟ ହେଉଛି ଭଲ ସରକାର ଗଠନ ଓ ନୂଆ ଓଡ଼ିଶା ଗଠନ । ଏସବୁ ପାଇଁ ସେ ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।