ନାଁ ନନେଇ ଜୟପୁରରୁ ବିରୋଧୀଙ୍କୁ 5T ଅଧ୍ୟକ୍ଷଙ୍କ ଟାର୍ଗେଟ, ଅପପ୍ରଚାରକାରୀ ଓଡ଼ିଶାର ବିକାଶକୁ ଅଟକାଇ ପାରିବେନି

1 min read

ଜୟପୁର: ରାଜ୍ୟରେ ଜାରି ରହିଛି ବିକାଶ କାର୍ଯ୍ୟ । ହେଲେ କିଛି ବନ୍ଧୁ ଅପପ୍ରଚାରରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାମରେ ବିଶ୍ବାସ କରନ୍ତି । ଲୋକମାନଙ୍କୁ ସଶକ୍ତ କରିବାକୁ ବିଶ୍ବାସ କରନ୍ତି । ସଭିଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଥାନ୍ତି । ଜୟପୁରରେ ରୂପାନ୍ତରଣ ସମୀକ୍ଷା ଅବସରରେ ବିକାଶ ବିରୋଧୀଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ।

ସେ କହିଛନ୍ତି, କିଛି ଲୋକ ଅପପ୍ରଚାର କରି ବିକାଶର ରଥକୁ ଅଟକାଇବାକୁ ଉଦ୍ୟମ କରୁଛନ୍ତି । ବିକାଶର ରଥକୁ ଅଟକାଇବା ସହ ଓଡ଼ିଶାର ନାଁକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ଅପପ୍ରଚାରକାରୀ । ସେମାନଙ୍କୁ ଉଚିତ ଜବାବ ଦିଅନ୍ତୁ ।

ଆଗକୁ ସେ କହିଛନ୍ତି, ଅପପ୍ରଚାରକାରୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ । ସେମାନେ କେବଳ ଅପପ୍ରଚାର କରିବେ । ହେଲେ ତାଙ୍କୁ ଅପପ୍ରଚାର କରିବାକୁ ଦେବା ନାହିଁ । ଆମେ କାମ କରି ରାଜ୍ୟର ବିକାଶ କରିବା । ଲୋକଙ୍କୁ ଉଦବୋଦନ ଦେବ ସହ ଜୟପୁରବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା କଥାକୁ ବଖାଣିଥିଲେ 5T ଅଧ୍ୟକ୍ଷ ।

ରାଜ୍ୟ ସରକାର ଯେଉଁସବୁ ଲୋକାଭିମୂଖୀ ଯୋଜନା ପ୍ରଣୟନ କରିଛନ୍ତି ତାହା କୋରାପୁଟରୁ ହିଁ ଆରମ୍ଭ ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ଯୋଜନା, ଚାଉଳ ଯୋଜନା, ମିଶନଶକ୍ତି ଓ 5Tରେ ସ୍କୁଲ ରୂପାନ୍ତରଣର ସଫଳତା ବିଷୟରେ ଲୋକଙ୍କ କହିଥିଲେ 5T ଅଧ୍ୟକ୍ଷ । ସପ୍ତଧାରା ଜଳସେଚନ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି । ବିକ୍ରମ ଦେବ କଲେଜକୁ ବିଶ୍ବବିଦ୍ୟାଳୟର ମାନ୍ୟତା ମିଳିଛି । କୋରାପୁଟରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କରିବାକୁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରିଥିଲେ । କିଛି ଲୋକ ଏହି ବିଶ୍ବବିଦ୍ୟାଳୟକୁ ଅଲଗା ଜାଗାକୁ ନେବାକୁ ଚେଷ୍ଟା କରିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସୁଯୋଗ ଦେଇନଥିଲେ । କୋରାପୁଟରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଥିଲେ ।

ଲୋକଙ୍କୁ ସେବା ଦେବା ପାଇଁ ମୁଖ୍ୟମନ୍ତ୍ରୀ କଠିନ ପରିଶ୍ରମ କରୁଛନ୍ତି ବୋଲି କହିଛନ୍ତି 5T ଅଧ୍ୟକ୍ଷ । ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସୁବିଧା, ବସ ସୁବିଧା, ମନ୍ଦିର, ମସଜିଦ୍, ଚର୍ଚ୍ଚ ଭଳି କମ୍ୟୁନିଟି ହଲର ସୁବିଧା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସରକାର ନବୀନ ପଟ୍ଟନାୟକଙ୍କର ନୁହେଁ କି ବିଜୁ ଜନତା ଦଳର ନୁହେଁ । ଏହା ଆପଣଙ୍କ ସରକାର, ଲୋକଙ୍କ ସରକାର ବୋଲି କହିଛନ୍ତି 5T ଅଧ୍ୟକ୍ଷ । ଏହି ଅବସରରେ କୋରାପୁଟବାସୀଙ୍କୁ ନୂଆବର୍ଷ ଓ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛଥିଲେ କାର୍ତ୍ତିକ ପାଣ୍ଡିଆନ ।