ଓଡ଼ିଶାର ବିକାଶ, ବିରୋଧୀଙ୍କୁ ଦେଖାଯାଉନି କି ରୂପାନ୍ତରଣକୁ ସହିପାରୁ ନାହାନ୍ତି: କାର୍ତ୍ତିକ ପାଣ୍ଡିଆନ

1 min read

ବ୍ରହ୍ମପୁର: ଓଡ଼ିଶାର ରୂପାନ୍ତରଣକୁ ସହିପାରୁନାହାନ୍ତି ନାହାନ୍ତି ବିରୋଧୀ । ଗଞ୍ଜାମ ଜିଲ୍ଲା ଗସ୍ତ ବେଳେ ବିରୋଧୀଙ୍କୁ କଡ଼ା ଜବାବ ଦେଇ ଏମିତି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି- ରୂପାନ୍ତରଣ କଥା ଆସିଲା ବେଳକୁ ବିରୋଧୀ ଅନ୍ଧ ହେଇଯାଉଛନ୍ତି । ଆଖି ଖୋଲିଲେ ସମଗ୍ର ଓଡ଼ିଶାର ସବୁଠି ବିକାଶ ଓ ରୂପାନ୍ତରଣ ଜଳଜଳ ହୋଇ ଦେଖାଯିବ । ବଡ଼ ସ୍ବପ୍ନ ଦେଖିବାକୁ ଗରିବଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଶକ୍ତ କରିଛନ୍ତି । ସବୁ ପଞ୍ଚାୟତରେ ଥିବା ମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉଛି । ମିଶନ ଶକ୍ତି, ଆମ ବ୍ୟାଙ୍କ ଭଳି ଅର୍ଥନୈତିକ ଅଭିଯାନ ଦ୍ବାରା ଲୋକଙ୍କ ଜୀବନଧାରା ବଦଳିଛି । ହେଲେ ଏସବୁ ବିରୋଧୀଙ୍କୁ ଦେଖାଯାଉନି ।

ସୂଚନାଯୋଗ୍ୟ ଦୁଇଦିନିଆ ଗଞ୍ଜାମ ଗସ୍ତରେ ଯାଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଆଜି ଦ୍ବିତୀୟ ଦିନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିବା ସହ ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଗଞ୍ଜାମ ମାଟିରୁ ବିକାଶକୁ ବିରୋଧ କରୁଥିବା ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି 5T ଅଧ୍ୟକ୍ଷ । କହିଛନ୍ତି, ‘କିଛି ଲୋକଙ୍କୁ ବିକାଶ ଦେଖା ଯାଉନାହିଁ । ରୂପାନ୍ତରଣକୁ ଗ୍ରହଣ କରିପାରୁନାହାନ୍ତି । ରୂପାନ୍ତରଣ କଥା ଆସିଲା ବେଳକୁ ସେମାନେ ଅନ୍ଧ ହେଇଯାଉଛନ୍ତି । ଆଖି ଖୋଲିଲେ ସମଗ୍ର ଓଡ଼ିଶାର ସବୁଠି ବିକାଶ ଓ ରୂପାନ୍ତରଣ ଜଳଜଳ ହୋଇ ଦେଖାଯିବ । ଶିକ୍ଷାରୁ ସ୍ବାସ୍ଥ୍ୟସେବା, ଗମନାଗମନରୁ ଐତିହ୍ୟସ୍ଥଳୀ ସୌନ୍ଦର୍ଯ୍ୟକରଣ, ବିକାଶର ନୂଆ ଅଧ୍ୟାୟ ଲେଖୁଛି ଓଡ଼ିଶା । ଐତିହାସିକ ରୂପାନ୍ତରଣ ଦେଖି ବି କିଛି ଲୋକ ବାରମ୍ବାର ଅପପ୍ରଚାର କରୁଛନ୍ତି ।’

ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ ସାଙ୍ଗକୁ ବିଭିନ୍ନ ସୁବିଧା ସହ ସ୍କୁଲ ରୂପାନ୍ତରଣ ହୋଇଛି । ରାଜ୍ୟରେ ସବୁ କଲେଜର ବଦଳୁଛି ରୂପରେଖ । ବଡ଼ ସ୍ବପ୍ନ ଦେଖିବାକୁ ଗରିବଙ୍କୁ ସଶକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗରିବରୁ ଗରିବ ଲୋକ ନିଜ ସନ୍ତାନକୁ ଡାକ୍ତର, ଇଂଜିନିୟର, ଆଇଏଏସ୍ କରିବାର ସ୍ବପ୍ନ ଦେଖୁଛି ଓ ତାକୁ ସାକାର କରିବାର ସାମର୍ଥ୍ୟ ମଧ୍ୟ ରଖୁଛି । କେବଳ ସେତିକି ନୁହେଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା ବଡ଼ ହସ୍ପିଟାଲରେ ଗରିବଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ମିଳିପାରୁଛି। ସାରା ରାଜ୍ୟରେ ଆମ ହସ୍ପିଟାଲ ଯୋଜନା କାର୍ଯ୍ୟକାରୀ ହୋଇଛି । ମେଡିକାଲ କଲେଜ ସଂଖ୍ୟା ବଢିଛି । ଏବେ ଡାକ୍ତର ବଳକା ରାଜ୍ୟ ହୋଇଛି ଓଡ଼ିଶା ବୋଲି ସେ କହିଛନ୍ତି ।

ଆଗକୁ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ପୁରୀ ଶ୍ରୀମନ୍ଦିରରୁ ସମଲେଇ ମନ୍ଦିର, ଗୁପ୍ତେଶ୍ବରରୁ ଆଖଣ୍ଡଳମଣି ରାଜ୍ୟର ସବୁ ଐତିହ୍ୟସ୍ଥଳୀର ରୂପାନ୍ତର କରାଯାଇଛି । ସବୁ ପଞ୍ଚାୟତରେ ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯାଉଛି । ହେଲେ ପରିବର୍ତ୍ତନକୁ ସହି ପାରୁ ନଥିବା ଲେକେ ବିକାଶକୁ କେମିତି ସହିବେ ।

ମିଶନ ଶକ୍ତି, ଆମ ବ୍ୟାଙ୍କ ଭଳି ଅର୍ଥନୈତିକ ଅଭିଯାନ ଦ୍ବାରା ଲୋକଙ୍କ ଜୀବନଧାରା ବଦଳିଛି । ଲକ୍ଷ୍ମୀ ବସ୍ ଯୋଜନା, ରାସ୍ତା ଓ ବ୍ରିଜ୍ ନିର୍ମାଣ ଦ୍ବାରା ଗମନାଗମନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି । ଯଦି ଏସବୁ ରୂପାନ୍ତରଣ କିଛି ଲୋକଙ୍କୁ ଦିଶୁନି, ତେବେ ସେମାନେ ଆଖି ଖୋଲିବା ଦରକାର ବୋଲି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।

ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ ଗଞ୍ଜାମ ଜିଲ୍ଲାକୁ ପ୍ରଥମ ଗସ୍ତ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।