ମୟୂରଭଞ୍ଜରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିକାଶ ସମୀକ୍ଷା

1 min read

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୟୂରଭଞ୍ଜ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀଙ୍କ ସହିତ କରିବା ସହ ପ୍ରକଳ କାମକୁ ତ୍ବରାନ୍ବିତ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପଡ଼ିଆରେ ଉପସ୍ଥିତି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି ସଫଳତାର ମନ୍ତ୍ର । ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳ ବ୍ୟକ୍ତିତ୍ବ ଗଠନରେ ଗୁରୁମନ୍ତ୍ର ଦେଇଛନ୍ତି 5T ଅଧକ୍ଷ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଏହି ନୂଆ-ଓ କାର୍ଯ୍ୟକ୍ରମ କରାଯାଉଛି । ଆପଣମାନଙ୍କ ଭିତରେ ଯାହା ପ୍ରତିଭା ଅଛି ତାକୁ ବାହାର କରିବାକୁ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଆପଣଙ୍କ ଜୀବନର ଏହା ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ । ଏଥିରେ ଛାତ୍ରଛାତ୍ରୀଙ୍କୁ ଶାରିରୀକ ସହ ମାନସିକ ଭାବେ ଫିଟ୍ ରହିବାକୁ ପଡିବ । ଏଥିଲାଗି ପାଠପଢା ସହ କୋ-କରିକୁଲାର ଆକ୍ଟିଭିଟିଜରେ ଭାଗ ନେଲେ ବ୍ୟକ୍ତିତ୍ବରେ ବିକାଶ ହେବ । ଜୀବନରେ ସଫଳ ହେବାକୁ ହେଲେ ପାଠ ସାଙ୍ଗକୁ ବ୍ୟକ୍ତିତ୍ବ ବିକାଶ କରିବାକୁ ପଡିବ । ସେହିପରି ଜୀବନରେ ଜିତିବା ଗୁରୁତ୍ବପୂର୍ଣ୍ଣ ଆବଶ୍ୟକ ନୁହେଁ, ଅଂଶଗ୍ରହଣ ଅତି ଗୁରୁତ୍ବପୂର୍ଣ୍ଣ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତ୍ବତ୍ବ, କଠିନ ପରିଶ୍ରମ, ଉନ୍ନତ ଚିନ୍ତାଧାରା ଓ ଆତ୍ମ ବିଶ୍ବାସ ବଢ଼ିବ । ସଫଳର ମୂଳ ଚାବିକାଠି ଆତ୍ମବିଶ୍ବାସ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।

ଆତ୍ମ ବିଶ୍ବାସ ଯାହାର ଅଧିକ ସେ ବହୁତ ଆଗକୁ ଯିବ । କଠିନ ପରିଶ୍ରମ କରିବେ, ବାପାମାଆଙ୍କ ନାଁ ଉଜ୍ଜଳ କରିବେ, ଓଡ଼ିଶାର ନାଁ ଆଗକୁ ନେବେ ବୋଲି କହିଛନ୍ତି 5T ଅଧ୍ୟକ୍ଷ । ଫିଟ୍ ରହିବାକୁ ପ୍ରତିଦିନ ଶାରିରୀକ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ ।

ଆଗକୁ ସେ କହିଛନ୍ତି, ‘ଏବେ ପ୍ରତିଯୋଗିତାର ଦୁନିଆ । ଯିଏ ଜିତିବ ସିଏ ଆଗକୁ ଯିବ । ସେଥିଲାଗି ଫିଜିକାଲ ଫିଟନେସ୍ ସହ ମାନସିକ ଭାବେ ଫିଟ୍ ରହିବା ମଧ୍ୟ ଜରୁରୀ । ଏଥିଲାଗି ଧ୍ୟାନ କରନ୍ତୁ । ଶାରିରୀକ ଓ ମାନସିକ ଫି୍ଟ ରହିଲେ ସମସ୍ୟାକୁ ସହଜରେ ସମାଧାନ କରିବାକୁ ମିଳିବ ଆତ୍ମବିଶ୍ବାସ । ଏହାସହ ଜୀବନରେ ଉଚିତ୍ ସାଙ୍ଗ ବାଛିବା ଜରୁରୀ । ଭଲ ସାଙ୍ଗ ସଠିକ ପରାମର୍ଶ ଦିଅନ୍ତି । ଯାହାକି ଆତ୍ମବିଶ୍ବାସ ବୃଦ୍ଧି କରିବାରେ ସହାୟକ ହେବ । ଆପଣ ସଫଳ ହେଲେ ଶିକ୍ଷକ ସବୁଠାରୁ ଖୁସି ହେବେ । ସେଥିଲାଗି ଶିକ୍ଷକଙ୍କୁ ସମ୍ମାନ ଦିଅନ୍ତୁ ।’

ଓଡ଼ିଶା ଏବେ ବିକାଶ ପଥରେ ଆଗେଇ ଚାଲିଛି । ଭାରତ ବର୍ଷରେ କ୍ରୀଡ଼ାର ରାଜଧାନୀ ପାଲଟିଛି ଭୁବନେଶ୍ବର । ବିପର୍ଯ୍ୟୟ ମୁକାବିଲାରେ ବିଶ୍ବରେ ଓଡ଼ିଶା ସବୁଠାରୁ ଆଗରେ ରହିଛି । ଖାଦ୍ୟ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ ପାଲଟିଛି । ଏହା ହେଉଛି ନୂଆ ଓଡ଼ିଶା । ଆର୍ଥିକ ଓ ବିପର୍ଯ୍ୟୟ ପରିଚାଳନା ସହ ପୁଞ୍ଜି ନିବେଶରେ ଓଡ଼ିଶା ଏକ ନମ୍ବର ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ।

ଏହାପରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ୧୦ ହଜାର ୨୧୦ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ଦ୍ବାରା ୨ ଲକ୍ଷ ୭୦ ହଜାର ୯୦୦ ଏକର ଚାଷଜମି ଜଳସେଚିତ ହୋଇପାରିବ । ୨୦୨୪ ମେ’ ସୁଦ୍ଧା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ  ଓ ୨୦୨୮ ଜୁନ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ କାମ ସମ୍ପୂର୍ଣ୍ଣ ହେବ ।

ଏହି ଅବସରରେ ସେ ଦେଓ, ଉଦଳାର ସୋନ ପ୍ରକଳ୍ପ, ଖଇରୀ ବନ୍ଧନ ପ୍ରକଳ୍ପ ଓ କ୍ଲଷ୍ଟର ବୃହତ ଉଠା ଜଳସେଚନ ପ୍ରକଳ୍ପ ଆଦି ପ୍ରମୁଖ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହିସବୁ ପ୍ରକଳ୍ପ ପାଇଁ ୩ ହଜାର ୨୮୨ କୋଟି ଟଙ୍କା ବିନିଯୋଗ ହେଉଥିବା ବେଳେ, ଏହାଦ୍ବାରା ୧ ଲକ୍ଷ ୧୬ ହଜାର ୫୦୦ ଏକର ଜମି ଜଳସେଚିତ ହୋଇପାରିବ । ଏହିସବୁ ପ୍ରକଳ୍ପ କାମ ତ୍ବରାନ୍ବିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ପରେ ବାରିପଦାରେ ବୁଢାବଳଙ୍ଗ ଉପରେ ନିର୍ମାଣାଧୀନ ନଦୀ ବନ୍ଧ ଓ ରିଂଗ ରୋଡ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଏଥିପାଇଁ ୧୫୪ କୋଟି ଟଙ୍କା ବିନିଯୋଗ କରାଯାଉଛି । ଏହାସହ ୭୨.୬୩ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ଘାଟି ରାସ୍ତା, ବାରିପଦାରେ ୪୮ କୋଟି ଟଙ୍କା ବ୍ୟୟରେ ବୁଢାବଳଙ୍ଗ ନଦୀ ଉପରେ ବୃହତ ସେତୁର ନିର୍ମାଣ, ୩୦୬ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବାରିପଦାଠାରେ ୪୭.୩୫ କୋଟି ଟଙ୍କା ବ୍ୟୟରେ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ଆଦି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରି ସମସ୍ତ ପ୍ରକଳ୍ପ କାମକୁ ତ୍ବରାନ୍ବିତ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।